କଟକ : କିଶନନଗର ବିନୋଦ ମଣ୍ଡଳ ହତ୍ୟାକାଣ୍ଡର ଗୁମର ଖୋଲୁଛି। ଏହି ଘଟଣାରେ ପୋଲିସ ଶାରଦା ଓ ସହଯୋଗୀ ସିଲୁକୁ ଗିରଫ କରିଥିଲା। ଆଜି ବିନୋଦଙ୍କ ବିଧବା ପତ୍ନୀ ନମିତା ଦାସଙ୍କୁ ଗିରଫ କରିଛି। ପ୍ରେମ ସମ୍ପର୍କକୁ ନେଇ ସେ ହତ୍ୟା ସଢଯନ୍ତ୍ରରେ ସାମିଲ ଥିବା ପୋଲିସ କହିଛି।
ବିନୋଦ ମଣ୍ଡଳ ନିଖୋଜର ୨୫ଦିନ ପରେ ନଈପଠାରୁ ମିଳିଥିଲା ତାଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ। ଏହି ଘଟଣାରେ ପୋଲିସ ଶାରଦା କୁଣ୍ଡୁ ଓ ସହଯୋଗୀ ସିଲୁ ଦାସକୁ ଗିରଫ କରିଥିଲା। ଏ ଦୁଇଜଣଙ୍କୁ ରିମାଣ୍ଡରେ ନେଇ ଜେରା କରିବା ପରେ ମିଳିଲା ହତ୍ୟାକାଣ୍ଡର ଖିଅ। ଏହାପରେ ପୋଲିସ ଶାରଦା କୁଣ୍ଡୁ, ସିଲୁ ଦାସ ଓ ବିନୋଦଙ୍କ ପତ୍ନୀ ନମିତାଙ୍କୁ ଜେରାକରି ଜାଣିବାକୁ ପାଇଥିଲା କଣ ପାଇଁ ଘଟିଲା ଏଭଳି ଘଟଣା।
ପୋଲିସର ସୂଚନା ଅନୁଯାୟୀ ବିବାହ ପୂର୍ବରୁ ନମିତାଙ୍କର ଅଭିଯୁକ୍ତ ଶାରଦା କୁଣ୍ଡୁଙ୍କ ସହ ପ୍ରେମ ସଂପର୍କ ଥିଲା। ଦୁରସମ୍ପର୍କୀୟ ବନ୍ଧୁ ହିସାବରେ ଶାରଦା ନମିତାଙ୍କ ଘରକୁ ଆସୁଥିଲେ। ଏହାକୁ ନମିତାଙ୍କ ଗାଁରେ ବିରୋଧ କରାଯାଇଥିଲା। ପରବର୍ତ୍ତି ସମୟରେ ଶାରଦାଙ୍କ ସହ ନମିତାଙ୍କ ବିବାହ ନେଇ ହୋଇଥିଲା କଥାବାର୍ତ୍ତା। କିନ୍ତୁ ଶାରଦା ବିବାହ ତାରିଖ ଘୁଞ୍ଚାଇବାକୁ ଚାହିଁବାରୁ ନମିତାଙ୍କ ପରିବାର କିଶନନଗର ବିଜୟ ମଣ୍ଡଳଙ୍କ ପୁଅ ବିନୋଦ ମଣ୍ଡଳଙ୍କ ସହିତ ନମିତାଙ୍କର ବିବାହ କରାଇଥିଲେ। ବିନୋଦଙ୍କୁ ବିବାହ କରିବା ପରେ ମଧ୍ୟ ଶାରଦା ସହ ଯୋଗାଯୋଗ ରଖିଥିଲା ନମିତା। ବିନୋଦଙ୍କୁ ରାସ୍ତାରୁ ହଟାଇ ଉଭୟ ବିବାହ କରିବାକୁ ଯୋଜାନା କରିଥିଲେ। ସେଥିପାଇଁ ରଚାଯାଇଥିଲା ସଢଯନ୍ତ୍ର। ଯାହାର ଶିକାର ହୋଇଥିଲା ବିନୋଦ।
ସେଦିନ ଥିଲା ମେ’ ମାସ ୨୬ ତାରିଖ। ବିନୋଦ ପାଇଁ ଅଶୁଭ ଦିନ। ବିନୋଦକୁ ସିଲୁ ଦାସ ଫୋନ୍ କରି ଡାକିଥିଲା। ବୋର୍ଡ ଅଫିସରେ କାମ କରାଇଦେବ କହିଥିଲା। ତେଣୁ ଏ କଥା ଘରେ କହି ବାହାରିଥିଲା ବିନୋଦ। କିନ୍ତୁ କିଛିଘଣ୍ଟା ପରେ ଘର ଲୋକେ ତାଙ୍କର ଖୋଜ୍ ଖବର ପାଇନଥିଲେ। ସିଲୁ ଦାସ ଓ ଶାରଦା କିଭଳି ବିନୋଦଙ୍କୁ ନେଲେ ଓ ଜଗତପୁର ଥାନା ଅନ୍ତର୍ଗତ ବାରଗୋଡ଼ିଆ ମହାନଦୀ ପଠାକୁ କେମିତି ବିନୋଦଙ୍କ ମୃତଦେହ ଆସିଲା ସେ ସମ୍ପର୍କରେ ପୋଲିସ ସ୍ପଷ୍ଟ ସୂଚନା ଦେଇନି। କିନ୍ତୁ ଜଗତପୁରରେ ବିନୋଦଙ୍କ ମଟରସାଇକେଲ ମିଳିବା ଓ ନଦୀପଠାରୁ ଖଣ୍ଡ ଖଣ୍ଡ ଗଳିତ ମୃତଦେହ ଉଦ୍ଧାର ହେବା ଘଟଣାରୁ ପୋଲିସ ସନ୍ଧେହ କରୁଛି ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି।