ପୁରୀ: ପୁରୀରେ ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତିଠାରୁ ସମଗ୍ର ଜିଲ୍ଲାରେ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ କର୍ଫ୍ୟୁ ଲାଗୁ କରୁଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। କର୍ଫ୍ୟୁ ସମୟରେ ଜିଲ୍ଲାରେ ଲୋକଙ୍କର ଯାତାୟତ ଉପରେ ନଜର ରଖାଯିବ। ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ଯିବାକୁ ଅନୁମତି ମିଳିବ ନାହିଁ। ଜୁଲାଇ ୧ ତାରିଖରେ ବାହୁଡ଼ା ଯାତ୍ରା ଥିବାରୁ ଭକ୍ତଙ୍କ ଭିଡ଼କୁ ରୋକିବା ଲକ୍ଷ୍ୟରେ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।
ସୂଚନାଯୋଗ୍ୟ, ଗତ ୨୨ ତାରିଖ ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ରଥଯାତ୍ରା ଉପଲକ୍ଷେ ବଡ଼ଦାଣ୍ଡରେ କର୍ଫ୍ୟୁ ଓ ପୂରା ଜିଲ୍ଲାରେ ସଟ୍ଡାଉନ କରାଯାଇଥିଲା। ରଥଯାତ୍ରାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରାଶସନ ପକ୍ଷରୁ ଏହି ପଦପେକ୍ଷ ନିଆଯାଇଥିଲା। ବାହାଡ଼ା ଯାତ୍ରା ଉପଲକ୍ଷେ ପ୍ରଶାସନ ପୁନର୍ବାର ଏହି ପଦକ୍ଷେପ ନେଇଛି। ଅନ୍ୟପଟରେ ବାହୁଡ଼ା ଯାତ୍ରାରେ ଯେଉଁ ସେବାୟତମାନେ ସାମିଲ ହେବେ ସେମାନଙ୍କର କୋଭିଡ ନମୁନା ପରୀକ୍ଷା ଜାରି ରହିଛି।