ଭୁବନେଶ୍ଵର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ରାଜ୍ୟ ସରକାର ଅନୁପାଳନ କରିବେ। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେଣୁ ଚଳିତ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ।
ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଗୁରୁତ୍ଵପ୍ପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ଵତନ୍ତ୍ର ଭାବେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ପ୍ରଶାସକ, ଆଡଭୋକେଟ ଜେନେରାଲ, ଆଇନ ବିଭାଗର ପ୍ରମୁଖ ସଚିବ ଓ ଉନ୍ନୟନ କମିସନର ଯୋଗ ଦେଇଥିଲେ। ଏଥିରେ ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରସ୍ତାବ ଆଗତ କରିଥିଲେ। ଆଡଭୋକେଟ୍ ଜେନେରାଲ୍ ଓ ଆଇନ ସଚିବ ସୁପ୍ରିମକୋର୍ଟଙ୍କ ରାୟର ଆଇନଗତ ଦିଗ ଉପରେ ମତ ରଖିବା ପରେ କ୍ୟାବିନେଟ୍ ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଶ୍ରୀମନ୍ଦିର ପରିସର ମଧ୍ୟରେ ସୁପ୍ରିମକୋର୍ଟଙ୍କ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ସହିତ ରୀତିନୀତି ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତିକୁ ସୂଚିତ କରାଯାଇଥିବା ଜଣାପଡିଛି।