ନୂଆଦିଲ୍ଲୀ : କରୋନା ସଂକଟ ସମୟରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ସହାୟତା କରିବାକୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ୫୦ ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ଲାଗିଛି।
ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ୨୦୨୦-୨୧ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ବୃଦ୍ଧି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ସେହିପରି ଜଅ କ୍ଵିଣ୍ଟାଲ ପିଛା ୨୦୨୦ ଓ ବାଜରା କ୍ୱିଣ୍ଟାଲ ପିଛା ୨୧୫୦ ଟଙ୍କାକୁ ବୃଦ୍ଧି ପାଇଛି। ମାଣ୍ଡିଆ, ବାଦାମ, ମୁଗ, ସୋୟାବିନ, ରାଶି ଓ କପାର ଏମଏସପି ୫୦ ପ୍ରତିଶତ ବଢିଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଏହାଛଡା ୭% ହାରରେ ଋଣ ନେଇ ଯଦି ଜଣେ ସଠିକ୍ ସମୟରେ ପରିଶୋଧ କରିବେ ତେବେ ୩ ପ୍ରତିଶତ ରିହାତି ମିଳିବ। ୩୧ ମେ ସୁଦ୍ଧା ଟଙ୍କା ଜମା କରିବାକୁ କୁହାଯାଇଥିଲା। ଏବେ ଏହା ୩୧ ଅଗଷ୍ଟକୁ ବୃଦ୍ଧି କରାଯାଇଛି। ଏମାନଙ୍କୁ ୪% ଋଣ ଛାଡ଼ କରାଯିବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।
ସେହିପରି ଆର୍ଥିକ ସଂକଟରେ ଥିବା ଏମଏସଏମଇ ଶିଳ୍ପ ପାଇଁ ୨୦,୦୦୦ କୋଟିର ପ୍ୟାକେଜ୍ ପ୍ରଦାନ କରାଯାଇଛି। ଏମଏସଏମଇ ପାଇଁ ୫୦,୦୦୦ କୋଟି ଟଙ୍କାର ଇକ୍ୱିଟି ବିନିଯୋଗ ହେବ ବୋଲି ଘୋଷଣା କରାଯାଇଥିବା ଗଣମାଧ୍ୟମାକୁ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର। ତାଙ୍କ ସୂଚନା ଅନୁଯାୟୀ ରପ୍ତାନୀ କରୁଥିବା ଏମଏସଏମଇ ଓ ଯେଉଁମାନଙ୍କର ଭଲ ରେକର୍ଡ ଅଛି ସେମାନେ ଷ୍ଟକ୍ ମାର୍କେଟକୁ ଯିବାର ସୁଯୋଗ ପାଇବେ। ଜିଡିପିର ୨୯ ପ୍ରତିଶତ ଏମଏସଏମଇର ଯୋଗଦାନ ରହିଛି। ତେଣୁ ଦେଶରେ ୬ କୋଟି ଏମଏସଏମଇ ରହିଥିବାରୁ ଶିଳ୍ପର ବିକାଶରେ ଏହା ସହାୟକ ହେବ। ଏହି କ୍ଷେତ୍ର ଲାଗି ୪ ହଜାର କୋଟି ଟଙ୍କାର ଡିସଟ୍ରେସ ଫଣ୍ଡ ଗଠନ କରାଯାଇଛି। ଦେଶର ମୋଟ୍ ରପ୍ତାନୀର ୪୮ ପ୍ରତିଶତ ଏମଏସଏମଇର ରହିଥିବା ବେଳେ ୧୧ କୋଟି ନିଯୁକ୍ତି ଦେଉଛି। ଏବେ ଉଭୟ ଏମଏସଏମଇ ଜିନିଷ ଓ ସେବାକୁ ମିଶାଇ ଦିଆଯାଇଛି। ଏହାବ୍ୟତୀତ ସହର ଓ ଗୃହ ନିର୍ମାଣ ମନ୍ତ୍ରଣାଳୟ ଫୁଟପାଥରେ ବିକ୍ରି କରୁଥିବା ଦୋକାନୀଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଋଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରୁ ୫୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ଶ୍ରୀ ଜାଭଡେକର କହିଛନ୍ତି।