ବାଣପୁର,୧୭।୧୦: ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ମାଧ୍ୟମରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡର ୩୨ ଜଣ ହିତାଧିକାରୀଙ୍କୁ ଭୂମି ଯୋଗ୍ଯତା ପ୍ରମାଣପତ୍ର ପ୍ରଦାନ କରା ଯାଇଛି । ଏ ଉପଲକ୍ଷେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗଦାନ କରି ଯୋଗ୍ଯ ହିତାଧିକାରୀଙ୍କୁ ଭୂମି ଯୋଗ୍ଯତା ପ୍ରମାଣପତ୍ର ବଣ୍ଟନ କରିଥିଲେ । ଶ୍ରୀ ଜଗଦ୍ଦେବ ତାଙ୍କ ବକ୍ତବ୍ଯରେ ସରକାରଙ୍କ ଜନ କଲ୍ଯାଣକାରୀ ଯୋଜନା ଉପରେ ଆଲୋକପାତ କରିବା ସହିତ ସମସ୍ତ ଯୋଗ୍ଯ ହିତାଧିକାରୀ ଯେପରି ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ ହୋଇ ପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବାଣପୁର ସହରକୁ ସ୍ବଚ୍ଛ ,ସୁନ୍ଦର ଏବଂ ଏକ ବିକାଶିତ ସହର ଭାବେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ନିହାଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରି ଜାଗା ମିଶନ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପାଧ୍ୟକ୍ଷ ତଥା ପୁରୀ ସାଂସଦ ପ୍ରତିନିଧି (ଏନ୍.ଏ.ସି) ଦାସରଥି ସାହୁ, ଏନ.ଏ.ସି ଯୁବ ସଭାପତି ସମିମ୍ ଉଦ୍ଦିନ ଖାନ, କାର୍ଯ୍ୟକାରୀ ସଭାପତି ଉମାକାନ୍ତ ଲାଠି, ବିଧାୟକ ପ୍ରତିନିଧି (ଏନ୍.ଏ.ସି) ବିକ୍ରମ କେଶରୀ ଜେନା ସମେତ ବିଜ୍ଞାପିତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।