କାଳୁପଡ଼ା ଘାଟ : ହାତୀ ମୃତ୍ୟୁ ପରେ ଚିନ୍ତାରେ ପ୍ରଶାସନ ଦୁର୍ଘଟଣା ସ୍ଥଳ ଦେଖିଲେ ରେଳ ପ୍ରବନ୍ଧକ ବନବିଭାଗ ର ବରିଷ୍ଠ ଅଧିକାରୀ ସାମିଲ

କାଳୁପଡ଼ା ଘାଟ:-୧୮/୦୧(ବିନୁ ଦାସ୍):-ବିଗତ ଡିସେମ୍ବର ମାସ ୨୬ ତାରିଖରେ ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧା ରୋଡ଼ ଡିଭିଜନ ଅନ୍ତର୍ଗତ ଭୂଷଣ୍ଢପୁର ରେଳଷ୍ଟେସନ ନିକଟ ରେଳବାଇ ଫାଟକ ନିକଟରେ ଏକ ଉଣେଶଟିକିଆ ହାତୀପଲକୁ ଏକ ମାଲ ବୋଝେଇ ରେଳଗାଡ଼ି ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ଗୋଟିଏ ଦନ୍ତା ହାତୀ ଏବଂ ଏକ ପିଲା ହାତୀ ର ମୃତ୍ୟୁ ଘଟିଥିଲା।ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଦିନକୁ ଦିନ ଏକ ୩୨ ଟିକିଆ ହାତୀ ପଲ ଦିନକୁ ଦିନ ଉଗ୍ରରୂପ ଦେଖେଇବା ସହ ବିଗତ ଦୁଇ ମାସ ମଧ୍ୟରେ ଆଠରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ପ୍ରତିଦିନ ବହୁ ଧାନ ଫସଲ ନଷ୍ଟ କରିବା ସହ ଆତଙ୍କ ରାଜ ସୃଷ୍ଟି କରିଛନ୍ତି । ଯାହାକି ହାତୀପଲ ଦୁଇ ଭାଗରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ଅଘଟଣ ଘଟାଉଛନ୍ତି।ହାତୀପଲକୁ ସୁରକ୍ଷା ଦେବା ବନବିଭାଗ ପାଇଁ ଯେତିକି କଷ୍ଟ ସାଧ୍ୟ ହୋଇଛି ତା ଠାରୁ ଅଧିକ ସୁରକ୍ଷା ଦେବାକୁ ଯାଇ ହାତୀ ଘଉଡ଼ାଇବା ପାଇଁ ଯାଇଥିବା ଟ୍ରାଙ୍କୁଲାଇଜର ଦେବାକୁ ଯାଇ ବନବିଭାଗ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏସବୁକୁ ଦୃଷ୍ଟି ରେ ରଖି ରେଳବିଭାଗ ଏବଂ ବନବିଭାଗ ମଧ୍ୟରେ ମିଳିତ ପେଟ୍ରୋଲିଂ ହେବା ସହ ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବିଭାଗ ର ନିଦ ହଜି ଯାଇଛି ।

ଯାହାଫଳରେ ଲଗାତାର ଭାବରେ ରେଳବାଇ ଏବଂ ବନବିଭାଗ ର ବରିଷ୍ଠ ଅଧିକାରୀ ମାନେ ଦୁର୍ଘଟଣା ସ୍ଥଳକୁ ଯାଞ୍ଚ ଜାରି ରଖିବା ସହ ରାତ୍ରକାଳୀନ ପେଟ୍ରୋଲିଂ କୁ କଡ଼ାକଡ଼ି କରିଥିବା ବେଳେ ପୁନର୍ବାର ୧୭ଟିକିଆ ହାତୀପଲ ସୋରଣ ନିକଟବର୍ତ୍ତୀ ମାନସିଂ ପୁର ଘାଟ ପାର୍ଶ୍ଵରେ ଥିବା ଚିଲିକା ର ରାଜଦଳ ରେ ଫସି ଯାଇଥିଲେ । ଘଟଣା ସ୍ଥଳରେ ବନବିଭାଗ ଏବଂ ଓଡ୍ରାଫ ଟିମ୍ ପହଁଚି ହାତୀ ମାନଙ୍କୁ ରେଲଲାଇନ ଅତିକ୍ରମ କରାଇ ସୁରକ୍ଷିତ ଭାବେ ନିକଟସ୍ଥ ବୋଇତିଆ ଜଙ୍ଗଲରେ ଛାଡିଥିଲେ । ଯାହାଫଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ବନବିଭାଗ ର ଅଧିକାରୀ ମାନେ ହାତୀ ଚଳପ୍ରଚଳ କରୁଥିବା ରେଳ ଲାଇନ ଅଞ୍ଚଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଯୋଜନା ରଖିଛନ୍ତି । ଖୋର୍ଦ୍ଧା ରୋଡ଼ ଡିଭିଜନର ମୁଖ୍ୟ ରେଳ ପ୍ରବନ୍ଧକ(ଡି ଆର୍ ଏମ୍)ରିଙ୍କେଶ୍ ରଏ, ଉପ ରେଳ ପ୍ରବନ୍ଧକ,ସିନିଅର ଡିଏନ କୋ-ଅର୍ଡିନେସନ, ସିନିଅର ଡିଭିଜନାଲ ଅପରେସନାଲ ମ୍ୟାନେଜର ଙ୍କର ସହ ବହୁ ରେଳ ଅଧିକାରୀ ସେହିଭଳି ଭାବରେ ବନବିଭାଗ ପକ୍ଷରୁ ଶ୍ରୀ ମନୋଜ ମହାପାତ୍ର ଆର୍ ସିସିଏଫ ଭୁବନେଶ୍ୱର ସର୍କଲ, ପୂର୍ଣ୍ଣିମା ପି ଆଇଏଫଏସ୍ ଡ଼ିଏଫଓ ଖୋର୍ଦ୍ଧା ଡିଭିଜନ, ମିସ୍ ଜ୍ୟୋତି କୋଟାଲ ଡ଼ିଏଫଓ ଚିଲିକା ବନ୍ୟପ୍ରାଣୀ ଡିଭିଜନ,ରେଞ୍ଜ ଅଫିସର ଟାଙ୍ଗୀ ଏବଂ ବନ୍ୟପ୍ରାଣୀ ରେଞ୍ଜ ରେଞ୍ଜର ମିସ୍ ଚୂଡ଼ାରାଣୀ ମୁର୍ମୁ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ସ୍ପେଶାଲ ଟ୍ରେନ ଯୋଗେ କାଳୁପଡ଼ା ଘାଟ ରେଳଷ୍ଟେସନ ରୁ ଆରମ୍ଭ କରି ଭୂଷଣ୍ଢପୁର ଏବଂ ଗଙ୍ଗାଧର ପୁର ରେଳଷ୍ଟେସନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଆଗାମୀ ଦିନରେ ହାତୀ ସୁରକ୍ଷା ପାଇଁ କି ପଦକ୍ଷେପ ନେଉଛି ବନବିଭାଗ ଦେଖିବାକୁ ଥିବାବେଳେ ସାଧାରଣ ରେ ଅଞ୍ଚଳବାସୀ ମାନେ ହାତୀ କରିଡର ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ହାତୀଙ୍କର ଚଳପ୍ରଚଳ ରେଲଲାଇନ ନିକଟବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବଢିଚାଲୁଥିବା ବେଳେ ରେଳବାଇର ରେଳ ଚଳାଚଳ ରେ ବହୁ ବିଳମ୍ବ ଘଟୁଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଜଣାପଡ଼ିଛି।