ଇଟାଭାଟି ମାଲିକଙ୍କର ହାଇକୋର୍ଟ ନିର୍ଦ୍ଦେଶକୁ ବେଖାତିର ରାଜଗାଙ୍ଗପୁର ଅଞ୍ଚଳର ବେଧଡକ ଚାଲିଛି ବେଆଇନ ଇଟାଭାଟି

ରାଜଗାଙ୍ଗପୁର,(ମନୋଜ ଭୋଳ)- ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ବେଖାତିର କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କର ସମସ୍ୟାକୁ ଅବହେଳା କରି ହାଇକୋର୍ଟର ନିର୍ଦ୍ଦେଶକଙ୍କୁ ନମାନି ନିରନ୍ତର ଭବରେ ରାଜଗାଙ୍ଗପୁର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମାଟି ଇଟାଭାଟି ଚାଲୁଛି। ଫଳରେ ବ୍ୟାପକ ଭାବରେ ମାଟି ଅବକ୍ଷୟ ସାଙ୍ଗକୁ ପ୍ରଦୂଷଣ ଜନିତ ସମସ୍ୟାଘେରରେ ସଂପୃକ୍ତ ଅଞ୍ଚଳବାସିନ୍ଦା ରହିବାକୁ ବାଧ୍ୟ ହେଉଛନ୍ତି । ରାଜଗାଙ୍ଗପୁରର ମାଣ୍ଡିଆକୁଦର କଂସବାହାଲ, ଘୋଘର, କୁଟୁଣିଆ ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ଭାବରେ ମାଟି ଇଟାଭାଟି ହାଇକୋର୍ଟ ଦ୍ୱାରା ଜାରିକରାଯାଇଥିବା ନିର୍ଦ୍ଦେଶକୁ ବେଖାତିର କରି ରାଜସ୍ୱ ବିଭାଗ ସହିତ ସଲାସୁତୁରା ହୋଇ ପ୍ରତିବର୍ଷ ଉପୃଷ୍ଠରୁ ଲକ୍ଷ ଲକ୍ଷ ଟନ୍ ମାଟି ନେଇ ଇଟା ନିର୍ମାଣ କରିବା ସହିତ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି । ଏହିସବୁ କାରଣରୁ ୨୦୧୨ ମସିହାରେ ଏକ ଜନହିତକର ମାମଲାକୁ ଆଧାର କରି ଓଡିଶା ହାଇକୋର୍ଟ ମାଟି ନିର୍ମିତ ଇଟାକୁ ବେଆଇନ ବୋଲି ଘୋଷଣା କରି ଏହାକୁ ତୁରନ୍ତ ବନ୍ଦ କରିବାକୁ ଅଧିକାରୀମାନଙ୍କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ନଅବର୍ଷ ଅତିବାହିତ ହେଲାଣି ।

ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ରାଜଗାଙ୍ଗପୁର ସହିତ ବିଭିନ୍ନ ସ୍ଥାନରେ ବେଧଡକ ଭାବରେ ମାଟିଇଟା(ଲାଲଇଟା) ନିର୍ମାଣ ଚାଲିଛି ।ହାଇକୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ କିପରି ସରକାରୀ କର୍ମଚାରୀମାନେ ଏହାକୁ ନମାନି କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ଅସାଧୁ ଇଟା ବ୍ୟବସାୟୀମାନଙ୍କ ସହିତ ହାତ ମିଶାଇ ପ୍ରଦୂଷଣକୁ ଦିଗୁଣ କରିବା ସହିତ ମୂର୍ତ୍ତିକା ଅବକ୍ଷୟ କରି ଚାଲିଛନ୍ତି ବୋଲି ଏହା ସାଧାରଣରେ ଆଲୋଚନା ହେଉଛି। ଅନ୍ୟ ଦିଗରେ ଏହିସବୁ ଇଟାଭାଟି ଗୁଡିକ ବିଭିନ୍ନ ନଦୀନାଳ ପାର୍ଶ୍ଵରେ ବେଆଇନ ଭାବରେ ଗଢି ଉଠୁଥିବାବେଳେ ଗ୍ରୀଷ୍ମ ସମୟରେ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ବ୍ୟାପକ ଜଳ ସଙ୍କଟ ଭଳି ସମସ୍ୟା ସୃଷ୍ଟିକରୁଛି। ଏପରିକି ଜୀବଜନ୍ତୁମାନେ ମଧ୍ୟ ପାଣି ପାଇଁ ଡହଳବିକଳ ହେଉଛନ୍ତି । ସ୍ଥାନୀୟ ଜନସାଧାରଣ ବହୁ ସମୟରେ ଏହା ବିରୋଧ କରିବା ସହିତ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ଅଣଦେଖା କରୁଛି। ଅନ୍ୟ ଦିଗରେ ବାହୁବଳ ଏବଂ ଅର୍ଥବଳ ଭୟରେ ସାଧାରଣ ମଣିଷ ମୁହଁ ଖୋଲିବାକୁ ଭୟ କରୁଛନ୍ତି । ଏହାଦ୍ବାରା ସରକାରଙ୍କର କୋଟିକୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ଲାଲ ଇଟାର ବିକଳ୍ପ ଭାବରେ ଫ୍ଲାଇ ଆସ ଇଟା ବିଭିନ୍ନ ସ୍ଥାନରେ ନିର୍ମିତ ହେଉଛି । ସରକାର ଏହାକୁ ବ୍ୟବହାର କରିବାକୁ ନିୟମ ମଧ୍ୟ ଜାରିକରିଛନ୍ତି । ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବା ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାପାଇଁ ବିଭିନ୍ନ ସେଛାସେବୀ ସଂଗଠନ,ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଦାବି ହେଉଛି।