ଖୁବ୍ ଶୀଘ୍ର +୨ ଆଡ଼ମିଶନ, ୪ ରୁ ଶିକ୍ଷକଙ୍କୁ ଅନଲାଇନ୍ ତାଲିମ୍ ।

ଭୁବନେଶ୍ୱର, ୦୨/୦୮ : ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ସରକାର। ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ତେଣୁ ସରକାର ଆଡ଼ମିଶନ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେବା ସହ ଛାତ୍ର ଛାତ୍ରୀ ମାନେ ବ୍ୟସ୍ତ ବିବ୍ରତ ନହେବାକୁ ଅନୁରୋଧ କରିଛନ୍ତି।

ଏହାସହ ଚଳିତ ବର୍ଷ ଜିରୋ ରେଜଲ୍ଟ ହୋଇଥିବା ୩୧ ଟି ସ୍କୁଲ୍ ର ପ୍ରଧାନ ଶିକ୍ଷକ ଙ୍କ ସହ ଖୁବ୍ ଶୀଘ୍ର ନିଜେ ଆଲୋଚନା କରିବେ ମନ୍ତ୍ରୀ। ପଚାରି ବୁଝିବେ କେଉଁଠି ତ୍ରୁଟି ରହିଲା ଓ ସ୍କୁଲ୍ ରେ କେତେ ପିଲା ପଢୁଥିଲେ। ସୂଚନା ଯୋଗ୍ୟ ଯେ ଗତ ବର୍ଷ ୮୨ ଟି ସ୍କୁଲ୍ ରେ ଜିରୋ ରେଜଲ୍ଟ ହୋଇଥିବା ବେଳେ ଚଳିତ ବର୍ଷ ଏହା ହ୍ରାସ ପାଇ ୩୧ କୁ ପହଁଚିଛି। ବିଭାଗର ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଲାଗି ଏଥର ପାସ୍ ହାର ବଢ଼ି ଥିବା ଶିକ୍ଷାବିତ ଙ୍କ ମତ।

ସେପଟେ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ ର ଶିକ୍ଷକଙ୍କୁ ମିଳିବ ଅନଲାଇନ ତାଲିମ୍। ୧୦୧ ସ୍କୁଲ୍ ରୁ ଦୁଇଜଣ ଲେଖାଏଁ, ଯୁକ୍ତ ଦୁଇ ଓ ଶିକ୍ଷକ ଶିକ୍ଷା କଲେଜ୍ ରୁ ଜଣେ ଲେଖାଏଁ ଶିକ୍ଷକଙ୍କୁ ଦିନକୁ ଦୁଇ ଘଣ୍ଟା ଲେଖାଏଁ ତାଲିମ୍ ଦିଆଯିବ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି ଟ୍ରେନିଂ ଦିଆଯିବ। ଅନଲାଇନ ଶିକ୍ଷା ନେଇ ତାଲିମ୍ ଦିଆଯିବ। ଏସବୁ ଶିକ୍ଷାନଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନ ହଉ ଏବଂ ରେଜଲ୍ଟ ହାର ବଢୁ ସେଥିଲାଗି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ।