ଭୁବନେଶ୍ୱର: ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା। କରୋନାର ଦ୍ବିତୀୟ ଲହର ସରିନଥିବା ବେଳେ ଆସନ୍ତା ୨-୩ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲି କ୍ଲାସ୍ କିମ୍ବା ପରୀକ୍ଷା କରିବା ସମ୍ଭବପର ନୁହେଁ। ତେଣୁ ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ଉଭୟ ୟୁଜି ଓ ପିଜି ଶ୍ରେଣୀର ଫାଇନାଲ ପରୀକ୍ଷା ଅନଲାଇନରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ୩ରାଉଣ୍ଡ ଧରି ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନଙ୍କ ସହ ବିଚାରବିମର୍ଶ ପରେ ବିଭାଗ ପକ୍ଷରୁ ଆଜି ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ତେବେ ଅନ୍ୟ ଶ୍ରେଣୀର କ୍ଲାସ୍ ପ୍ରମୋସନ୍ ଅବା ସେମିଷ୍ଟାର ପରୀକ୍ଷା କେବେ ହେବ ସେ ନିଷ୍ପତ୍ତି ପରେ ନିଆଯିବ ବୋଲି ବିଭାଗ କହିଛି।
ଆଜି ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ୨୦୨୦-୨୧ ଶିକ୍ଷା ବର୍ଷରେ ୟୁଜି ଓ ପିଜି ଶ୍ରେଣୀର ଫାଇନାଲ ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀ ମିଶ୍ର ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, କରୋନା ମହାମାରୀ ଯୋଗୁ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହୋଇଛି। ୨୦୨୦-୨୧ ଶିକ୍ଷା ବର୍ଷରେ ୟୁଜି ଓ ପିଜି ଶେଷବର୍ଷର ଛାତ୍ରଛାତ୍ରୀମାନେ ଏପର୍ଯ୍ୟନ୍ତ ପରୀକ୍ଷା ଦେଇନଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷାରେ ପାସ୍ କରିବା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନଲାଇନ୍ ମୋଡରେ ଶିକ୍ଷାଦାନ ଜାରି ରହିଛି। ଯଦିଓ ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି କିନ୍ତୁ ଆସନ୍ତା ୨-୩ମାସ ମଧ୍ୟରେ ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଛି। ତେଣୁ ଏଭଳି ପରିସ୍ଥିତିରେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲି ଶ୍ରେଣୀଗୃହରେ ପରୀକ୍ଷା କରାଇବା ସମ୍ଭବପର ନୁହେଁ।
୨୦୨୦-୨୧ ଶିକ୍ଷା ବର୍ଷର ଯୁକ୍ତ ତିନି ଶେଷବର୍ଷ ଓ ପିଜି ଶେଷବର୍ଷର ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ/ଅଗଷ୍ଟ ମାସରେ ଅନଲାଇନ୍ ମୋଡରେ ପରୀକ୍ଷା ଦେବେ। ସେମାନଙ୍କର ପରୀକ୍ଷା ଫଳ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରକାଶ ପାଇବ। ଯେଉଁମାନଙ୍କର ବ୍ୟାକପେପର ଥିବ ସେମାନେ ଅନଲାଇନରେଜୁଲାଇ/ଅଗଷ୍ଟରେ ପରୀକ୍ଷା ଦେବେ। ପରୀକ୍ଷା କେବେ ହେବ ତାହା ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ସ୍ଥିର କରିବେ। ଛାତ୍ରଛାତ୍ରୀମାନେ ନିଜ ଘରୁ ଅନଲାଇନ୍ ମୋଡରେ ପରୀକ୍ଷାରେ ସାମିଲ ହୋଇପାରିବେ। ସେମାନଙ୍କ ସୁବିଧା ପାଇଁ ନିଜ ଘର ପାଖରେ ଥିବା ଡିଗ୍ରୀ କଲେଜରୁ ମଧ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ୍ ମୋଡରେ ପରୀକ୍ଷା ଦେଇପାରିବେ।