ରାଜ୍ୟରେ ପ୍ରଥମ: କରୋନାରେ ୧୦ ବର୍ଷର ବାଳକର ମୃତ୍ୟୁ

ଭୁବନେଶ୍ୱର, ୧୧ା୫ : ରାଜ୍ୟରେ ଦୈନିକ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୧୦ ବର୍ଷୀୟ ବାଳକର କରୋନାରେ ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ହାଉସିଂ ବୋର୍ଡ ଅଞ୍ଚଳର ଏହି ବାଳକର ଦେହ ଅସୁସ୍ଥ ହୋଇପଡ଼ିବାରୁ ତାକୁ ଗତ ଶନିବାର ଦିନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତା’ର ରିପୋର୍ଟ ପଜିଟିଭ୍ ଆସିବା ପରେ ତାକୁ ଗତକାଲି ଦିନ ୧୧ଟା ସମୟରେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତା’ର ଶରୀରରେ ଅକ୍ସିଜେନ ସ୍ତର କମିଯାଇଥିବାରୁ ତାକୁ ୧୫ ଲିଟର ବିଶିଷ୍ଟ ଅକ୍ସିଜେନ ସିଲିଣ୍ଡର ଦିଆଯାଇଥିଲା । ଗତକାଲି ରାତି ୮ଟା ସମୟରେ ତା’ର ମୃତ୍ୟୁ ଘଟିଥିଲା । ତେବେ ବାଳକଟିର ମୃତ୍ୟୁ କେବଳ କରୋନା ପାଇଁ ହୋଇନାହିଁ । ସେ ହିମୋଫିଲିଆରେ ଆକ୍ରାନ୍ତ ଥିଲା ବୋଲି ଏମକେସିଜି ମେଡିକାଲର ବରିଷ୍ଠ ଶିଶୁ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ସୂଚନା ଥାଉକି ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୨୧୫କୁ ବୃଦ୍ଧି ପାଇଛି ।

ତେବେ ରାଜ୍ୟରେ ଆଜି ୯ ହଜାର ୭୯୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬କୁ ବୃଦ୍ଧି ପାଇଛି । ସେହିପରି ସୁନ୍ଦରଗଡରୁ ୧୦୧୮, କଟକରୁ ୬୪୧, ଅନୁଗୁଳରୁ ୫୨୬, ଝାରସୁଗୁଡାରୁ ୪୦୪, ନୂଆପଡାରୁ ୪୦୧, ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗିରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରରୁ ୩୦୨, ଷ୍ଟେଟପୁଲରୁ ୨୮୦, ଗଞ୍ଜାମରୁ ୨୭୬, ବରଗଡରୁ ୨୭୦, ନୟାଗଡରୁ ୨୫୪, କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪, ମୟୂରଭଞ୍ଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରାପୁଟରୁ ୧୭୪, କେନ୍ଦ୍ରାପଡାରୁ ୧୫୮, ବୌଦ୍ଧରୁ ୧୫୨, ରାୟଗଡାରୁ ୧୪୮, ସୋନପୁରରୁ ୧୪୦, ଦେବଗଡରୁ ୧୨୫, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୧, ମାଲକାନଗିରିରୁ ୬୩, ଭଦ୍ରକରୁ ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।