ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଛି। ଏହାରି ମଧ୍ୟରେ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଛି। କଟକରେ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି ନୋଡାଲ ଅଧିକାରୀ କହିଛନ୍ତି। ତେବେ କଟକରେ ଗୋଷ୍ଠୀ ସଂକ୍ରମଣ କଥା ଆଇସିଏମଆର ବୈଜ୍ଞାନିକମାନେ ସ୍ଥିର କରିବେ ବୋଲି ନୋଡାଲ ଅଧିକାରୀ କହିଛନ୍ତି।
ନୋଡାଲ ଅଧିକାରୀ କହିଛନ୍ତି ଯେ, କଟକରେ ଦୈନିକ ସଂକ୍ରମଣ ବଢିଚାଲିଛି। କଟକକୁ ବାହାରୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ବଢୁଛି। ଯାହା ଜଣାପଡ଼ୁଛି ୫/୬ ଦିନ ଭିତରେ ସଂକ୍ରମଣ ପିକକୁ ଆସିଯିବ। ତା’ ପରେ ଧୀରେ ଧୀରେ ସଂଖ୍ୟା କମିବ।
ସୂଚନାଯୋଗ୍ୟ, ରାଜ୍ୟରେ ଆଜି୧୧୮୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୬୧୩ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫୧୯୪ ଜଣ ଆକ୍ରାନ୍ତ ହୋଇଛନ୍ତି।