କାର ପଛରେ ବସି ସିଟ୍ ବେଲ୍ଟ ନପିନ୍ଧିଲେ, ବାଇକ୍‌ର ସାଇଡ୍ ମିରର ନଥିଲେ କଟିବ ଚାଲାଣ

ନୂଆଦିଲ୍ଲୀ : ବଦଳିଲା ଟ୍ରାଫିକ୍ ନିୟମ। ଏଣିକି କାର ପଛ ସିଟରେ ବସୁଥିବା ଯାତ୍ରୀଙ୍କୁ ସିଟ୍ ବେଲ୍ଟ ବାନ୍ଧିବାକୁ ପଡିବ। ସେହିପରି ଦୁଇଚକିଆ ଯାନରେ ସାଇଡ୍ ମିରର ବାଧ୍ୟତାମୂଳକ। ଏହି ନିୟମ ଉଲଂଘନ କଲେ ଦିଲ୍ଲୀ ଟ୍ରାଫିକ୍ ପୋଲିସ ଚାଲାଣ କାଟିବ।

ଦିଲ୍ଲୀ ଟ୍ରାଫିକ୍ ପୋଲିସ ଶୁକ୍ରବାର ଏନେଇ ଏକ ଆଦେଶନାମା ଜାରି କରିଛି। ଏଥିରେ କୁହାଯାଇଛି ଅଧିକାଂଶ ଟୁ ହ୍ୱିଲରରେ ସାଇଡ୍ ମିରର ନଥାଏ। କିଛି ଲୋକ ଜାଣିଶୁମି ମିରର କାଢି ଦିଅନ୍ତି। ଯେଉଁଥି ପାଇଁ ଡ୍ରାଇଭିଂ ସମୟରେ ଆକ୍ସିଡେଣ୍ଟ ହେବାର ବିପଦ ବଢିଯାଏ। ସେହିଭଳି କାରର ପଛ ସିଟରେ ବସିଥିବା ଲୋକ ସିଟ୍ ବେଲ୍ଟ ଲଗାଇବା ବାଧ୍ୟତାମୂଳକ। ଅବହେଳା ହେଲେ ଦୁର୍ଘଟଣାରେ ପାସେଞ୍ଜରଙ୍କ ମୃତ୍ୟୁ ହୋଇପାରେ।

ମୋଟର ଭେଇକଲ୍ ଆକ୍ଟ ୧୯୮୮ ଓ ସେଣ୍ଟ୍ରାଲ ମୋଟର ଭେଇକଲ ଆକ୍ଟ ୧୯୮୯ ରେ ଏହି ନିୟମ ଉଲ୍ଲେଖ କରାଯାଇଛି। କିନ୍ତୁ ଏବେ ଟ୍ରାଫିକ୍ ପୋଲିସ ଦିଲ୍ଲୀରେ ଏହି ନିୟମ କାର୍ଯ୍ୟକାରୀ କରିବାକୁ ଅଭିଯାନ ଚଳାଇବା ସହିତ ଲୋକଙ୍କୁ ବୁଝାଇବ। ଅମାନିଆଙ୍କ ଠାରୁ ଆଦାୟ କରିବ ଜରିମାନା। ସୂଚନା ଅନୁଯାୟୀ କାରର ପଛ ସିଟରେ ବେଲ୍ଟ ନଲଗାଇଲେ ୧୦୦୦ ଟଙ୍କା ଓ ଟୁ ହ୍ୱିରରେ ସାଇଡ୍ ମିରର ନଲଗାଇଲେ ୫୦୦ ଟଙ୍କା ଚାଲାଣ କଟାଯିବ।