ଜଗତସିଂହପୁର,୪/୧୦: ବଦଳିଗଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଏବେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ହୋଇଛନ୍ତି ସରୋଜ କୁମାର ମିଶ୍ର । ଅନ୍ୟପଟେ ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର OSD ଭାବେ ନିଯୁକ୍ତ କରାଯାଇଛି ।
ତେବେ ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଦଳିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କୁ ବଦଳି ପାଇଁ କଂଗ୍ରେସ ଦାବି କରିଥିଲା । ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ଆଶଙ୍କା ବ୍ୟକ୍ତ କରିଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଘର ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବାରୁ ତାଙ୍କୁ ତୁରନ୍ତ ହଟାଇବାକୁ ଦାବି କରିଥିଲା।
ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କଂଗ୍ରେସର ଏହି ଦାବିକୁ ଗ୍ରହଣ କରି ଜିଲ୍ଲାପାଳଙ୍କୁ ତୁରନ୍ତ ସେଠାରୁ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆଜି ତାଙ୍କୁ ବଦଳି କରାଯାଇଥିବା ଆଲୋଚନା ହେଉଛି।