ହଷ୍ଟେଲରେ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା,,୮ା୧୧(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଚନ୍ଦ୍ରଗିରି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ପରିସରରେ ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ଖଗେଶ୍ବର ଝୋଡିଆ (୧୦) ଓ ସେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ। ଘଟଣାରୁ ପ୍ରକାଶ ଯେ, ଆଜି ସକାଳୁ ସମସ୍ତ ଛାତ୍ର ହଷ୍ଟେଲରୁ ବିଦ୍ୟାଳୟ ଯାଇଥିଲେ। ହେଲେ ଖଗେଶ୍ବର ଯାଇନଥିଲେ। ରାନ୍ଧୁଣିଆ ମାନେ ଛାତ୍ରବାସକୁ ଯିବା ସମୟରେ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଦେଖି ଛାତ୍ରାବାସ ଦାଇତ୍ବରେ ଥିବା ଶିକ୍ଷକଙ୍କୁ ଜଣାଇଥିଲେ।ଏନେଇ ଶିକ୍ଷକ ଜଣଙ୍କ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ଦାସଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ କାଶୀପୁର ଥାନାକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଅନୁସନ୍ଧାନ କରିବା ସହ ଘଟଣାସ୍ଥଳରେ ରାୟଗଡା ଏସଡିପିଓ ରଶ୍ମିରଜଂନ ସେନାପତି,କାଶୀପୁରଥାନା ଅଧିକାରି ସୂର୍ଯ୍ୟପ୍ରକାସ ନାଏକଙ୍କ ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଅଧିକ ଛାନ ଭିନ କରିଥିଲେ। ପରେ ଅତିରିକ୍ତ ତହସିଲଦାର ଡି. ସତୀଶ କୁମାର ପହଞ୍ଚିଥିଲେ। ତାଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ସେଠାରେ ଶବ ରଖାଯାଇଛି। ତେବେ ମୃତ୍ୟୁ କାରଣ ବତ୍ର୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ତାହା ରହସ୍ୟ ଘେରରେ ରହିଛି।ଅପରପକ୍ଷେ ପରିବାର ଲୋକେ ଛାତ୍ରର ମୃତ୍ୟୁ ପାଇଁ ବିଦ୍ୟାଳୟ କର୍ମଚାରି ଦାଇ ବୋଲି ଅଭୀଯୋଗ କରିଛନ୍ତି।ଏହା ସହ ଛାତ୍ରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ବିଦ୍ୟାଳୟକୁ ଶିକ୍ଷାବିଭାଗର କୌଣସି ଅଧିକାରି ଯାଇନଥିବା ନେଇ ମୃତ ପରିବାର ଲୋକେ କ୍ଷୋଭ ପ୍ରକାସ କରିଛନ୍ତି।ଘଟଣାର ସଠିକ ତଦନ୍ତ କରାଯାଇ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ମୃତକଙ୍କ ଘର ଖୁରିଗାଁ ଗ୍ରାମରେ।ତାଙ୍କ ବାପା କୁନା ଝୋଡୀଆ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଛି ଓ ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ରଶ୍ମିରଞ୍ଜନ ସେନାପତି ପ୍ରକାସ କରିଛନ୍ତି।