ଦାରିଙ୍ଗବାଡି,୨୭/୧୦(ତରଣୀ ସାହୁ): ଦାରିଙ୍ଗବାଡି ଅଞ୍ଚଳ ରେ ଦିନ କୁ ଦିନ ବୃଦ୍ଧି ପାଉଛି ବେଆଇନ ପଥର ଖାଦାନ ସହ ବ୍ଲାଷ୍ଟିଙ୍ଗ । ହେଲେ ଚିର ନିଦ୍ରା ରେ ସ୍ଥାନୀୟ ପ୍ରଶାସନ । ବେଆଇନ ପଥର ଖାଦାନ ସହ ବ୍ଲାଷ୍ଟିଙ୍ଗ ଫଳରେ ସରକାର ଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି । ହେଲେ ବିଭାଗୀୟ ଅଧିକାରୀ ଙ୍କ ନଜର ପଡୁ ନାହିଁ । ପଥର ଖାଦାନ ନିମନ୍ତେ ଖଣି ବିଭାଗ ଠାରୁ ଅନୁମତି ନେବାର ପ୍ରାବଧାନ ରହିଥିବା ବେଳେ ବ୍ଲାଷ୍ଟିଙ୍ଗ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଅନୁମତି ନେବାକୁ ନିୟମ ରହିଛି । ହେଲେ କୌଣସି ଅନୁମତି ନନେଇ ଚାଲିଛି ବେଆଇନ କାର୍ଯ୍ୟ । ହେଲେ ଏଥି ପ୍ରତି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପର୍ତମାହା ପଞ୍ଚାୟତର ଡ଼ଲାବାଡ଼ି ଗ୍ରାମରେ ବେଆଇନ ପଥର ଖାଦାନ ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ତହସିଲଦାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପୁଣି ଆଉ ଏକ ବେଆଇନ ପଥର ଖାଦାନ ଦେଖିବାକୁ ମିଳିଛି । ବାଡାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ପିଅବାଡି ନିକଟ ପାହାଡ଼ ରେ ବେଆଇନ ପଥର ଖାଦାନ ସହ ପଥର ବ୍ଲାଷ୍ଟିଙ୍ଗ ହେଉଥିବା ଦେଖିବାକୁ ମିଳିଛି । ଅଧା ପାହାଡ଼ ରୁ ପଥର ବ୍ଲାଷ୍ଟିଙ୍ଗ ହୋଇ ଚୋରା ଚାଲାଣ କରାଯାଇଥିବା ବେଳେ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହୋଇଛି । ଜିଲ୍ଲା ବାହାରର କିଛି ଠିକାଦାର ସ୍ଥାନୀୟ ପ୍ରଶାସନ ସହ ସଲା ସୁତରା ହୋଇ ଏଭଳି ବେଆଇନ କାର୍ଯ୍ୟ କୁ ପ୍ରସୟ ଦେଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଉ ଛନ୍ତି ଅଧିକାରୀ । ଦୁଇ ଦୁଇଟି ସ୍ଥାନରେ ବେଆଇନ ଖାଦାନ ସହ ବ୍ଲାଷ୍ଟିଙ୍ଗ ହୋଇ ସହ ସହ ଗାଡ଼ି ପଥର ଚୋରା ଚାଲାଣ ହେଉଥିବା ଯୋଗୁଁ ସରକାରଙ୍କ ରାଜସ୍ବ ହାନି ହେଉଥିବା ବେଳେ ଅଧିକାରୀଙ୍କ ପକେଟ ଗରମ ହେଉଛି । ଏଣୁ ଅଧିକାରୀ ସବୁ ଜାଣି ନଜାଣିବାର ଅଭିନୟ କରୁଥିବା ଦେଖିବାକୁ ମିଳିଛି । ଏଣୁ ଏହାର ସଠିକ୍ ତଦନ୍ତ କରି ବେଆଇନ ଭାବେ କାର୍ଯ୍ୟ କରୁଥିବା ଠିକାଦାର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।