ଦାରିଙ୍ଗବାଡି,୨୧/୯(ତରଣୀ ସାହୁ): ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମିଥ୍ୟା ତଥ୍ୟ ଏବେ ଦାଣ୍ଡରେ ପଡ଼ି ବାଟରେ ଗଡିଲାଣି । ହେଲେ ବିଭାଗ କୁ କିଛି ବି ଫରକ୍ ପଡୁ ନାହିଁ । ଗତ ୧୨ ତାରିଖ ଦିନ ଦାରିଙ୍ଗବାଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ର ତଥ୍ୟ ଆଧାରରେ ବିଡ଼ିଓ ଗଦାଧର ପାତ୍ର ଦାରିଙ୍ଗବାଡି ବ୍ଲକ ବାସୀ ଙ୍କୁ ୨୪୮୮ ନଳକୂପ,୧୯୫ ଟି ସୋଲାର ପ୍ରକଳ୍ପ ଓ ୭୩ ଗୋଟି ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ନିରାପତ୍ତା ପାନୀୟ ଜଳ ଯୋଗାଣ ହେଉଥିବା ନେଇ ଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ହେଲେ ଅନେକ ପ୍ରକଳ୍ପ ଅଚଳ ହୋଇଥିବା ବେଳେ ବିଭାଗକୁ ତାହା ଦେଖାଯାଉ ନଥିବା ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ ଅଭିଯୋଗ କରିଛନ୍ତି । ଦନେକବାଡ଼ି ଠାରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୩ ମାସ ହେଲା ଅଚଳ ହୋଇଥିବା ବେଳେ ସିରିପାକାଲି ଠାରେ ରହିଥିବା ସୋଲାର ଜଳ ପ୍ରକଳ୍ପ ମଧ୍ୟ ଆଜକୁ ୩ ମାସ ରୁ ଉର୍ଦ୍ଧ ଦିନ ହେବ ଅଚଳ ହୋଇ ପଡ଼ିଛି । ଫଳରେ ଲୋକେ ପାଣି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସିରିପାକାଲି ଲୋକ ସୋଲାର ଜଳ ପ୍ରକଳ୍ପରୁ ଆସୁଥିବା ପାଣି କୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ବେଳେ ବର୍ତମାନ ତାହା ବନ୍ଦ ହୋଇଯାଇଛି । ସେହିପରି ଦନେକବାଡ଼ି ଠାରେ ଜଳ ଯୋଗାଣ ପ୍ରକଳ୍ପ ଅଚଳ ଥିବା ଯୋଗୁଁ ଲୋକେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏନେଇ ସିରିପାକାଲି ୱାର୍ଡ ମେମ୍ବର ସମୀର ପ୍ରଧାନ ଓ ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଆଜି କରିବା କାଲି କରିବା ବୋଲି ସରକାରୀ ଯନ୍ତ୍ରୀ ଦିନ ପରେ ଦିନ ଗଡେଇ ଚାଲିଛନ୍ତି । ଫଳରେ ଲୋକେ ବିରକ୍ତ ପ୍ରକାଶ କରିବା ସହ ଯଥା ଶୀଘ୍ର ଅଚଳ ପ୍ରକଳ୍ପ ଗୁଡ଼ିକୁ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । କେବେ ଅଚଳ ପ୍ରକଳ୍ପ ଚାଲିବ ଓ ସିରିପାକାଲି ଓ ଦନେକବାଡ଼ି ଲୋକଙ୍କ ସମସ୍ୟା ସମାଧାନ ହେବ ତାକୁ ନେଇ ଏବେ ଦେଖିବାକୁ ବାକି ରହିଲା ।