ଢେଙ୍କାନାଳ,୧୭.୦୯(ଶୁଭମ ପାଣି):-ଓଡାପଡା ବ୍ଲକ କମଳାଙ୍ଗ ଗ୍ରାମ ସ୍ଥିତ ବିଦ୍ୟାଳୟ ପରିସରରେ ଭାରତୀୟ ମଜଦୂର ସଂଘ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳିତ ହୋଇଯାଇଛି । ସାରା ଭାରତ ବର୍ଷର କୋଣ, ଅନୁକୋଣ, ସମସ୍ତ ୟୁନିଅନ୍ ତଥା ଜିଲ୍ଲା ସ୍ତରରେ ଆଜିର ଏହି ଶ୍ରମ ଦିବସ ପାଳିତ ହୋଇଅଛି । ଶ୍ରମ ଓ ଶ୍ରମିକ ସମାଜର ସ୍ୱାଭିମାନର ରକ୍ଷା ନିମନ୍ତେ ଶ୍ରଦ୍ଧେୟ ଦତୋପନ୍ତ ଠେଙ୍ଗଡିଙ୍କ ଦ୍ୱାରା ଗତ ୧୯୫୫ ମସିହା ଜୁଲାଇ ୨୩ ତାରିଖରେ ମଧ୍ୟପ୍ରଦେଶର ଭୋପାଳ ଠାରେ ଭାରତୀୟ ମଜଦୂର ସଂଘର ସ୍ଥାପନା କରାଯାଇଥିଲା । ସେହି ଦିନ ଠାରୁ ସୃଷ୍ଟିର ମହାନ୍ ଶିଳ୍ପୀ, ପ୍ରଥମ ଇଂଜିନିୟର ଭାବେ ପରିଗଣିତ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖକୁ ସଂଗଠନ ପକ୍ଷରୁ ବିଶ୍ୱକର୍ମା ଜୟନ୍ତୀ ଭାବରେ ପାଳନ କରାଯାଉଅଛି । ଏହି ପୂଣ୍ୟ ଦିବସଟିର ଯଥାର୍ଥତାକୁ ଧେୟ କରି ଆଜିର ଦିବସକୁ ଭାରତୀୟ ମଜଦୂର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମ ଦିବସ ଭାବେ ପାଳନ କରିଆସୁଅଛି । ଓଡିଶା ପ୍ରଦେଶର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ଖୁଂଟିଆଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ପ୍ରଦେଶ ର ଉପ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ଗଡନାୟକ ଯୋଗ ଦେଇ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ଏହି ଦିନଟିକୁ ରାଷ୍ଟ୍ରୀୟ ଶ୍ରମ ଦିବସ ରୂପେ ପାଳନ କରିବାର ତାତ୍ପର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସଂଗଠନର ପ୍ରତିଷ୍ଠା ଏବଂ ଭାରତୀୟ ମଜଦୂର ସଂଘର ରୀତି, ନୀତି, ପଦ୍ଧତି ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଠିକା ମଜଦୂର ସଂଘର ସଭାପତି ନାରାୟଣ ବେହେରା ସଭାପତିତ୍ୱ କରିଥିଲେ ଏବଂ ସାଧାରଣ ସମ୍ପାଦକ ପ୍ରମୋଦ ରାଉତ ,ଉପଦେଷ୍ଟା ଭକ୍ତବନ୍ଧୁ ବେହେରା ଏବଂ ଦ୍ଵାରିକା ନାଥ ବେହେରା ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।