ସଠିକ୍ ଭାବେ ହେଉନି ଜଳ ଯୋଗାଣ,ଜନ ଅସନ୍ତୋଷ

ଦାରିଙ୍ଗବାଡି,୩/୯(ତରଣୀ ସାହୁ): ଦାରିଙ୍ଗବାଡି ବ୍ଲକ ହେଡ୍ କ୍ୱାଟର ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ରହିଛି ଡ଼ଲାବାଡ଼ି ଗ୍ରାମ । ହେଲେ ଦୀପ ତଳ ଅନ୍ଧାର ଭଳି ବ୍ଲକ କାର୍ଯ୍ୟାଳୟ ପାଖ ଗ୍ରାମରେ ଲୋକଙ୍କୁ ସଠିକ୍ ଭାବେ ପାଣି ଟିକିଏ ମିଳି ପାରୁନାହିଁ । କେବେ ଆସୁଚି ତ କେବେ ଆସୁନି । ଏଭଳି କି ଏକାଧିକ ଦିନ ପର୍ଯ୍ୟନ୍ତ ଜଳ ଯୋଗାଣ ଠପ୍ ହୋଇ ରହୁଚି । କେତେବେଳେ ୧୦ ଦିନ କୁ ଥରେ ନହେଲେ ତ ୮ ଦିନ କୁ ଥରେ ପାଣି ଆସୁଚି । ତାହା ପୁଣି କିଛି ମିନିଟ ପାଇଁ । ଯାହା ବି ପାଣି ଆସୁଚି ଗୋଟାଏ ବାଲଟି ବି ଫୁଲ ହେଉ ନାହିଁ । ଏଭଳି ସ୍ଥଳେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କାହାକୁ ଗୁହାରି କଲେ କେହି ଶୁଣୁ ନାହାନ୍ତି । ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସବୁ ଦିନ ପାଣି ମିଳି ପାରୁନାହିଁ । ଯେତେବେଳେ ଅଭିଯୋଗ ହେଉଛି ସେତେବେଳେ ହିଁ ସାହି କୁ ପାଣି ଯୋଗାଣ ହେଉଥିବା ଗ୍ରାମର ମାମିତା ସାହୁ, ମେକୁଳା ପଡ୍ରା, ଭାଗ୍ୟଲତା ପଡ୍ରା, ଶର୍ମିଷ୍ଠା ବିଷୋୟୀ, ପୁଷ୍ପାଞ୍ଜଳି ବେହେରା, ପୁଷ୍ପା ପାତ୍ର, ରୁନୁ ସାହୁ,ରୀନା ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଣୁ ସବୁ ଦିନ ସାହି କୁ ପାଣି ଛାଡ଼ିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ରଖିଛନ୍ତି । ଯଦି ପ୍ରଶାସନ ଏହାର ସମାଧାନ ନକରେ ତାହାଲେ ସମସ୍ତେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ସମସ୍ତ ମହିଳା ହାଣ୍ଡି ମାଠିଆ ଧରି ଧାରଣା ଦେବେ ବୋଲି କହିଛନ୍ତି ।