ବାଲିଗୁଡ଼ା,୨୩/୦୮(ସଞ୍ଜୟ କୁମାର ପାଣିଗ୍ରାହୀ): ଅଧ୍ୟକ୍ଷ ସାଜିଲେ ଲୁଟେରା । କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ ! କଲେଜ ସଭାପତି ଓ ଛାତ୍ରଛାତ୍ରୀ ଆଣିଛନ୍ତି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡିଗ୍ରୀ କଲେଜରେ । କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଥିବା ବେଳେ କଲେଜରେ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କ ନାମଲେଖା ଫି ଠାରୁ ଅଧିକ ଫି ଆଦାୟ କରିଥିବା ସହ କଲେଜ୍ ପାଣ୍ଠି ଟଙ୍କାକୁ ଚଞ୍ଚକତା କରି ଭାରପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ବେଖାତିରି କରି ମନମୁଖୀ କାର୍ଯ୍ୟ ଚଳାଇଥିବା ଭାରପ୍ରାପ୍ତ କଲେଜ୍ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ହେଉଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡିଗ୍ରୀ କଲେଜର ଭାରପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ଡ.ବିଶ୍ବେଶ୍ବର ଆଚାର୍ଯ୍ୟଙ୍କ ବିରୋଧରେ ମାଳ ମାଳ ଅଭିଯୋଗ। ହେଲେ ବେଫିକର ଅଧ୍ୟକ୍ଷ ମହାଶୟ । ନୁଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଖେଳ, ସାମାଜିକ ଓ ଓଡ଼ିଆ ସାହିତ୍ୟ ସଂସ୍କୃତି କାର୍ଯ୍ୟକ୍ରମ ପାଇଁ ଆସିଥିବା ୨୦ ହଜାର,୩ ଲକ୍ଷ ଓ ୭୫ ହଜାର ଟଙ୍କା ନିଜ ମନ ମୁତାବକ ଖର୍ଚ୍ଚ କରି ମିଥ୍ୟା ଭାଉଚର କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପରିଚାଳନା ସମିତିର ସଭାପତି ତଥା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା -୧୯୭୭/୨୪.୦୪.୨୦୨୪ ଦିଗରେ ୨୦୨୩-୨୪ ଆର୍ଥିକ ବର୍ଷରେ ୩୨ ଲକ୍ଷ ୫୪ ହଜାର ୫୬୦ ଟଙ୍କା ଖର୍ଚ୍ଚ ପାଇଁ ବଜେଟରେ ମଞ୍ଜୁରୀ ହୋଇଥିଲା । କିନ୍ତୁ ୮୧ ଲକ୍ଷ ୧୭ ହଜାର ୨୯୭ ଟଙ୍କା ଉଠାଇ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼.ବିଶ୍ବେଶ୍ବର ଆଚାର୍ଯ୍ୟ ମନଇଛା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ପରେ ଖର୍ଚ୍ଚ ଟଙ୍କାର ହିସାବ ଦେଇପାରିନଥିଲେ ବିଶ୍ବେଶ୍ବର ଆଚାର୍ଯ୍ୟ । ଅନ୍ୟପଟେ ମାସ ମାସ ଧରି କର୍ମଚାରୀଙ୍କୁ ଦରମା ଦେଉନଥିବା ମଧ୍ୟ ବିଶ୍ବେଶ୍ବର ଆଚାର୍ଯ୍ୟଙ୍କ ବିରୋଧରେ ଅଭିଯୋଗ ହୋଇଛି । ଯାହାକୁ ନେଇ କଲେଜ୍ ପରିଚାଳନା ସହ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବ୍ୟାଘାତ ସ୍ତୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହି ଦୁର୍ନିତୀ ଗ୍ରସ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ବିଶ୍ବେଶ୍ବର ଆଚାର୍ଯ୍ୟଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ଗଭର୍ଣ୍ଣିଂ ବଡ଼ି କମିଟି ସଭାପତି ପାଉଲ ମଣ୍ଡଳ । ସେପଟେ କଲେଜ୍ କର୍ତ୍ତୁପକ୍ଷଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ପୂର୍ବ ସରକାର ସମୟରେ ନୁଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆସିଥିବା ଟଙ୍କାକୁ ଆତ୍ମସାତ କରିଛନ୍ତି ବିଶ୍ୱେଶ୍ବର ଆଚାର୍ଯ୍ୟ । ଏଥିସହିତ ସରକାର ଧାର୍ଯ୍ୟ କରିଥିବା କଲେଜରେ ନାମଲେଖା ଫି ବଦଳରେ ଯୋର୍ ଜବରଦସ୍ତ ଅଧିକା ଟଙ୍କା ନେଇଥିବା ବେଳେ ସେହି ଟଙ୍କାର ମନି ରସିଦ ମଧ୍ୟ କଲେଜ୍ କର୍ତ୍ତୁପକ୍ଷ ସେମାନଙ୍କୁ ଦେଇନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅସ୍ଵାସ୍ଥ୍ୟକର ପରିବେଶରେ କଲେଜ ଥିବାବେଳେ କଲେଜରେ ନାହିଁ ଛାତ୍ରୀଙ୍କ ପାଇଁ ପରିଶ୍ରାଗାର କିମ୍ବା ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । କଲେଜର ଉନ୍ନତି ଦିଗରେ ଧ୍ୟାନ ନଦେଇ ସରକାରୀ ଅର୍ଥକୁ ଆତ୍ମସାତ କରିବାରେ ବ୍ୟସ୍ତ ଭାରପ୍ରାପ୍ତ ଅଧ୍ୟକ୍ଷ ବିଶ୍ବେଶ୍ବର ଆଚାର୍ଯ୍ୟ । ଯାହାକୁ ନେଇ କଲେଜ୍ କର୍ତ୍ତୁପକ୍ଷଙ୍କ ସହ କର୍ମଚାରୀ ଓ ଗଭର୍ନିଙ୍ଗ ବଡ଼ି ସଦସ୍ୟଙ୍କ ସହ ରିତିମତ ଗଣ୍ଡଗୋଳ ଲାଗି ରହୁଥିବାରୁ ଉଚିତ ଶିକ୍ଷାରୁ ବଞ୍ଚିତ ହେବା ସହ ନିଜ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । ଗୋଟିଏ ପଟେ ବିଶ୍ବେଶ୍ବର ଆଚାର୍ଯ୍ୟଙ୍କ ଚଞ୍ଚକତାର ସମସ୍ତ ଅଭିଯୋଗର ପ୍ରମାଣ ଜଳଜଳ ହୋଇ ଦେଖାଯାଉଛି । କିନ୍ତୁ ସେପଟେ ସବୁ ଅଭିଯୋଗ ଭିତ୍ତିହୀନ, ମୁଁ ସବୁକାମ ଠିକ୍ କରିଛି ବୋଲି ସଫେଇ ଦେଇଛନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ ବିଶ୍ବେଶ୍ବର ଆଚାର୍ଯ୍ୟ । ଗୋଟିଏ ପଟ ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶକୁ ଖାମଖିଆଲି ଭାବେ ନେବା ସହ ମନଇଛା ସରକାରୀ ଟଙ୍କା ଆତ୍ମସାତ କରି ବେଫିକର୍ ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ବିଶ୍ବେଶ୍ବର ଆଚାର୍ଯ୍ୟ । ତେବେ କଲେଜର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଆଗକୁ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।