ଦାରିଙ୍ଗବାଡି,୨୨/୮(ତରଣୀ ସାହୁ): କନ୍ଧମାଳ ଜିଲ୍ଲାରେ ଆଭ୍ୟନ୍ତରୀଣ ଗାଁ ଗୁଡିକର ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷିତ ପ୍ରସବ ସେବା ଯୋଗାଇ ଦେବା ନିମନ୍ତେ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ତରଫରୁ ଆକାଂକ୍ଷା ଜିଲ୍ଲା ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଭ୍ରାମ୍ୟମାଣ ପ୍ରସବ ଯାନର ବ୍ୟବସ୍ଥା ହୋଇଥିଲା । ଯେଉଁଥିରେ ପ୍ରଶିକ୍ଷିତା ନର୍ସ, ସହାୟିକା ଓ ଡ୍ରାଇଭର ମାନେ ନିଯୁକ୍ତ ପାଇ ଦିନରାତି ସେବା ଯୋଗାଇ ଆସୁଥିଲେ । ଯାହା ଫଳରେ ଅପହଂଚ ଅଂଚଳର ଅନେକ ଗର୍ଭବତି ନିର୍ଦ୍ଵନ୍ଦରେ ଫୋନ୍ କଲ୍ ଟିଏ କରି ନିଶୁଳ୍କ ଯାନରେ ଆଶି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚି ପାରୁଥିଲେ । ଏହା ଫଳରେ ଆନୁଷ୍ଠାନିକ ପ୍ରସବ ବଢିବା ସହ ଜିଲ୍ଲାରେ କିଛି ମାତ୍ରାରେ ମାତୃ ଓ ନବଜାତ ଶିଶୁ ମୃତ୍ୟୁ ହାର କୁ ରୋକାଯାଇ ପାରିଥିଲା । କିନ୍ତୁ ଜିଲ୍ଲାରେ ଏହି ସେବା ଆସନ୍ତା ଅଗଷ୍ଟ ମାସ ପରେ ଆଉ ମିଳିବ ନାହିଁ ବୋଲି ଜାଣିବା ପରେ ସାଧାରଣ ରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଏନେଇ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚିଠି ( ୧୦୧୮୪/ଏନ୍ଏଚଏମ/ପିପିପି/୨୪) ଜରିଆରେ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ପରିଚାଳକ ମାନଙ୍କୁ ଚିଠି କରିଛନ୍ତି । ୩୧ ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁ କରି ନିଜ ନିଜ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଯାନ, ରେଜିଷ୍ଟ୍ର ଆଦି ଜମା କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତି କୁ ଫିରିଙ୍ଗିଆ, ସାରଙ୍ଗଗଡ ଓ ବେଲଘର ନିମନ୍ତେ ଭ୍ରାମ୍ୟମାଣ ପ୍ରସବ ଯାନ ପରିଚାଳନା ପାଇଁ ଦାଇତ୍ୱ ଦିଆ ଯାଇଥିବା ବେଳେ ଜାଗୃତି କୁ ସୂରର୍ଣ୍ଣଗିରି ଓ ବିକଳ୍ପ ବିକାଶ ଓଡ଼ିଶା ଅନୁଷ୍ଠାନ କୁ ବ୍ରାହ୍ମଣୀଗାଁ ନିମନ୍ତେ ପ୍ରସବ ଯାନ ପରିଚାଳନା ପାଇଁ ଦାଇତ୍ୱ ପ୍ରଦାନ କରାଯାଇଥିଲା । ଏଭଳି ଭାବେ ୬ ଗୋଟି ଯାନ ଉପାନ୍ତ ଅଞ୍ଚଳରେ ପ୍ରସବ ଜନିତ ସେବା ଯୋଗାଇବା ପାଇଁ ପ୍ରଦାନ କରାଯାଇଥିଲା। ହେଲେ ପାଣ୍ଠି ଅଭାବ ଯୋଗୁଁ ଏହି ଆକାଂକ୍ଷା ଜିଲ୍ଲା ପ୍ରକଳ୍ପ ରେ ଚାଲିଥିବା ଭ୍ରାମ୍ୟମାଣ ପ୍ରସବ ଯାନ ବନ୍ଦ ହେବାକୁ ଯାଉଛି । ଏହା ବନ୍ଦ ହେବା ଫଳରେ ଉପାନ୍ତ ଅଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁହାର ବଢିବାର ଆଶଙ୍କା କରାଯାଉଛି । ଏଣୁ ଏହାକୁ ବନ୍ଦ ନକରି ଚାଲୁ କରିବାକୁ ଅଞ୍ଚଳବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ନିବେଦନ କରିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ବିଜୟ କୁମାର ପଣ୍ଡା ଙ୍କୁ ପଚାରିବାରୁ ସେ କହିଲେ ଏଟା ସରକାରଙ୍କ ନିୟମ, ଆମେ କିଛି କରି ପାରିବୁନି ବୋଲି କହିଥିଲେ।