ଢେଙ୍କାନାଳ,(ଶୁଭମ ପାଣି):ତା୧୧-୦୮-୨୦୨୪ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ଓଷ୍ଟା ଶିକ୍ଷକ ଭବନଠାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଜିଲ୍ଲାସ୍ତରୀୟ କନଭେନସନ୍ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଦାବୀଦିବସ ପାଇଁ ଓଷ୍ଟା ସଂଘ ସମେତ ୭ଗୋଟି ଶିକ୍ଷକ ସଂଘର କର୍ମକର୍ତ୍ତାଗଣ ଯୋଗଦାନ କରିଥିଲେ । ଶିକ୍ଷା ବ୍ଯବସ୍ଥା ତଥା ଛାତ୍ର ଓ ଶିକ୍ଷକ ମାନଙ୍କର ମୌଳିକ ସମସ୍ଯାକୁ ନେଇ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯିବ । କନଭେନସନର ଉଦ୍ଦେଶ୍ଯ ଜଣାଇବାକୁ ଯାଇ ଜିଲ୍ଲା ସଂପାଦକ ବିଭୂତି ସାମଲ ପ୍ରମୁଖ ଦାବିଗୁଡିକ ଉପସ୍ଥାପିତ କରିଥିଲେ । ଦାବୀ ଗୁଡିକ ହେଲା – ଅନୁଦାନପ୍ରାପ୍ତ ସ୍କୁଲ କଲେଜକୁ ସରକାରୀ କରି ପୁରୁଣା ପେନସନକୁ ଲାଗୁ କରିବା,ଅନୁଦାନଯୋଗ୍ଯ ସ୍କୁଲ ଗୁଡିକୁ ଅନୁଦାନ ପ୍ରଦାନ କରିବା,ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ଥିବା ଅନୁଷ୍ଠାନକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା,ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା, ସର୍ବୋପରି ଛାତ୍ର ଛାତ୍ରୀଙ୍କର ମଧ୍ଯାହ୍ନ ଭୋଜନର ମାନ ବୃଦ୍ଧି କରିବା ଏବଂନୂତନ ପେନସନ ନୀତି (NPS) କୁ ବାତିଲ୍ କରି ପୁରୁଣା ପେନସନ (OPS) କୁ ଲାଗୁ କରିବା ଉପସ୍ଥାପନ କରିଥିଲେ । ୧୯୬୯ ମସିହାରୁ ଦାବୀଦିବସରେ ସରକାରଙ୍କ ନିକଟରେ ଦାବୀ ଗୁଡିକ ଉପସ୍ଥାପିତ ହୋଇଆସୁଛି । ଏଣୁ ପ୍ରତ୍ୟେକ ବିଦ୍ୟାଳୟରେ ୩/୪ ଜଣ ରହି ଅନ୍ଯ ସମସ୍ତ ଶିକ୍ଷକ କର୍ମଚାରୀ ଅଗଷ୍ଟ ୧୬ ଦିନ ପୂର୍ବାହ୍ନ ୧୧ ଘଟିକା ମଧ୍ଯରେ ମାଷ୍ଟରକ୍ଯାଣ୍ଟିନ ଛକ ପହଞ୍ଚିବାକୁ ଅନୁରୋଧ କରାଗଲା । ଦିନ ୧୨ଟାରେ ଏକ ବିଶାଳ ରାଲି ବାହାରି ସମାବେଶ କରି ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯିବ। ରାଜ୍ୟ ଓଷ୍ଟା ସଂଘର ଉପସଭାପତି ପ୍ରମୋଦ କୁମାର ସ୍ବାଇଁ,ଅଲଓଷ୍ଟାର ଜିଲ୍ଲା ସଂପାଦକ ଉମାକାନ୍ତ ଷଡଙ୍ଗୀ,ସମସ୍ତ ବ୍ଳକର ସଂପାଦକ ମଣ୍ଡଳୀ,ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକ ବନ୍ଧୁଗଣ ଉପସ୍ଥିତ ଥିଲେ । ଶେଷରେ ଯୁଗ୍ମସଂପାଦକ ସୁବାଷ ଚନ୍ଦ୍ର ସାହୁ ଧନ୍ଯବାଦ ପ୍ରଦାନ କରିଥିଲେ ।