ଦାରିଙ୍ଗବାଡି,୧୧/୮(ତରଣୀ ସାହୁ): ବେଆଇନ ଭାବେ ନିର୍ମାଣ ହୋଇଛି କ୍ରସର ଓ ପିଚୁ ପ୍ଲାଣ୍ଟ । ଆଉ ଏହାକୁ ପ୍ରଶୟ ଦେଉଛନ୍ତି ଖୋଦ ତହସିଲଦାର। ଏଭଳି କିଛି ଅଭିଯୋଗ ଆସିଚି ଦାରିଙ୍ଗବାଡି ତହସିଲ ଅଧିନ ଦଣ୍ଡିମାହା ଅଞ୍ଚଳରୁ । ଦଣ୍ଡିମାହା ଗ୍ରାମରେ ଆରକେଡି ନାମକ ଏକ ରାସ୍ତା ନିର୍ମାଣକାରି ସଂସ୍ଥା ଆଜକୁ ୧୫ ବର୍ଷ ହେବ ପଥର ଖାଦାନ ସହ କ୍ରସର ଓ ପିଚୁ ପ୍ଲାଣ୍ଟ ନିର୍ମାଣ କରିଛି । କ୍ରସର ଓ ପିଚୁ ପ୍ଲାଣ୍ଟ କରିବା ନିମନ୍ତେ ଜଣେ ସ୍ଥାନୀୟ ଲୋକର ଜମିକୁ ଲିଜରେ ସୂତ୍ର ରେ ନେଇ କ୍ରସର ସହ ପିଚୁ ପ୍ଲାଣ୍ଟ ନିର୍ମାଣ କରିଛି । ଡଲିବନ୍ଧ ମୌଜାର ଖାତା ନମ୍ୱର ୩୦ ର ପ୍ଲଟ ନମ୍ୱର ୮୦,୭୮,୩୯,୩୭,୩୩,୩୪ ଓ ଦଣ୍ଡିମାହା ମୌଜାର ଖାତା ନମ୍ୱର ୩୮ ର ପ୍ଲଟ ନମ୍ୱର ୪୪୩,୪୪୪,୪୪୫,୪୪୬,୪୪୮,୪୪୯,୪୫୦,୪୫୨,୪୫୩,୫୫୪,୫୫୬,୪୫୯ ରେ ଉକ୍ତ କ୍ରସର ଓ ପିଚୁ ପ୍ଲାଣ୍ଟ ନିର୍ମାଣ ହୋଇଛି । ହେଲେ ପ୍ଲଟ ନମର ୩୯ କୁ ଛାଡି ଦେଲେ ଅନ୍ୟ ପ୍ଲଟର କିସମ ସବୁ ପଦର ଓ ବିଲ ରହିଛି । ଉକ୍ତ ଜମି ଗୁଡିକର କିସମ ପଦର ଓ ବିଲ ରହିଥିବା ବେଳେ ଘରବାରି କିସମ କୁ ପରିବର୍ତ୍ତନ କରାଯାଇନାହିଁ । ମାତ୍ର ୩୯ ନମ୍ୱର ପ୍ଲଟ ହିଁ ଘରବାରି ରେ ପରିବର୍ତ୍ତନ କରାଯାଇଛି । ଯଦି ପଦର କିମ୍ବା ବିଲରେ କୃଷି କାର୍ଯ୍ୟ ବଦଳରେ ଅନ୍ୟ କିଛି ଅଣ କୃଷି କାର୍ଯ୍ୟ ହେଉଛି ତାହାଲେ ତାହା ବେଆଇନ । ଓଡ଼ିଶା ସରକାରଙ୍କ ୧୯୬୦ ଓଡ଼ିଶା ଜମି ସଂସ୍କାର ଆଇନର ୮(ଏ)ନିୟମ ପ୍ରକାରେ ଏହାର କିସମ ପରିବର୍ତ୍ତନ କରିବା ଆବଶ୍ୟକ । ବିଲ କିମ୍ବା ପଦର ଥିଲେ ଏହାକୁ ଘରବାରି ରେ ପରିବର୍ତନ କରି ଯେ କୌଣସି ଅଣ କୃଷି କାର୍ଯ୍ୟ କରିହେବ । ହେଲେ ଆରକେଡି ନିର୍ମାଣ କାରି ସଂସ୍ଥା ନିଜର କ୍ରସର ଓ ପିଚୁ ପ୍ଲାଣ୍ଟ ୧୫ ବର୍ଷ ରୁ ଉର୍ଦ୍ଧ ବର୍ଷ ହେବ ସ୍ଥାପନ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କିସମ ପରିବର୍ତ୍ତନ କରିନାହିଁ । ଫଳରେ ସରକାର ଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି । ଏଭଳି କି ବେଆଇନ ଭାବେ କିଛି ଜଙ୍ଗଲ ଜମିକୁ ମଧ୍ୟ ଜବରଦଖଲ କରି ରହିଛି ଉକ୍ତ କମ୍ପାନୀ । ଏଭଳି ଭାବେ ବେଆଇନ ଭାବରେ କ୍ରସର ନିର୍ମାଣ ହୋଇଥିଲେ ସୁଦ୍ଧା ରାଜସ୍ବ ବିଭାଗ ଚୁପ୍ ହୋଇ ରହିଛି । ସ୍ଥାନୀୟ ତହସିଲଦାର ଙ୍କ ଛତ୍ରଛାୟା ତଳେ ଏସବୁ ହେଉଥିବା ବେଳେ ସଂସ୍ଥା ପ୍ରତି ଅନୁକମ୍ପା ଦେଖାଉଛନ୍ତି ତହସିଲଦାର । ୧୫ ବର୍ଷ ହେବ ଉକ୍ତ ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ତହସିଲଦାର କିଭଳି ଜାଣି ପାରୁନାହାନ୍ତି ନା ସବୁ ଜାଣି ଶୁଣି ଚୁପ୍ ହୋଇ ରହିଛନ୍ତି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ତହସିଲଦାର ଙ୍କ ସବୁ ଜାଣତରେ ଏସବୁ ବେଆଇନ କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଣୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି । ତହସିଲଦାର ଶରତ ଶବର ଙ୍କୁ ପଚାରିବାରୁ ସେ କହିଲେ ଜମିର କିସମ କଣ ରହିଛି ତଦନ୍ତ କରିବା ବୋଲି କହିଥିଲେ ।