ସହର ତଳି ଅଞ୍ଚଳ ତଥା ବ୍ରହ୍ମପୁରର ସ୍ବାର୍ଥ ପାଇଁ ସହର ତଳି ମିଳିତ କ୍ରିୟାନୁଷ୍ଠାନ କମିଟି ନିର୍ବାଚନ ପକ୍ରିୟାରେ ଭାଗ ନେବା ନିମନ୍ତେ ଗମ୍ଭୀରତାର ସହ ବିଚାର କରୁଛି।

ବ୍ରହ୍ମପୁର -୨୩/୩(ଶ୍ରୀକାନ୍ତ କୁମାର ବେହେରା)-ନିକଟରେ ରାଜ୍ୟ ସରକାର ନିର୍ବାଚନ ଏବଂ ଭୋଟ ରାଜନୀତିକୁ ଆଖି ଆଗରେ ରଖି ଅନେକ ପଞ୍ଚାୟତକୁ ଏନଏସି ଓ ଅନେକ ଏନଏସିକୁ ମ୍ୟୁନିସିପାଲଟିରେ ପରିଣତ ହୋଇଥିବା ଘୋଷଣା କରିଥିଲା ବେଳେ ବହୁ ଦିନର ଦାବୀ, ବାରମ୍ବାର ଆବେଦନ, ନିବେଦନ, ଆନ୍ଦୋଳନ ଓ ସର୍ବୋପରି ହାଇ କୋର୍ଟଙ୍କ ନିର୍ଦ୍ଧେଶ ସ୍ୱତ୍ତେ ସହର ସନ୍ନିକଟ ଅଞ୍ଚଳ ତଥା ବ୍ରହ୍ମପୁର ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ବିଏମ୍ ସିରେ ମିଶାଇ ଦେଶର ସବୁଠାରୁ କ୍ଷୁଦ୍ରତମ ମହାନଗର ନିଗମକୁ ଏକ ପୂର୍ଣ୍ଣାଙ୍ଗ ତଥା ବୃହତ୍ତର ମହାନଗର ନିଗମରେ ପରିଣତ କରିବା ଦାବିକୁ ପ୍ରତିଶ୍ରୁତି ଦେଇ ଅଣଦେଖା କରି ବିଭିନ୍ନ ଆଳ ଦେଖାଇ ସରକାର ଏଡେଇ ଚାଲିଥିବାରୁ ସରକାରଙ୍କ ସହର ତଳି ବାସିନ୍ଦାଙ୍କ ପ୍ରତି ଏହି ପ୍ରତାରଣା ଓ ଛଳନା ବିରୋଧରେ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତ୍ୟକ୍ଷ ଭାଗ ନେଇ ବ୍ରହ୍ମପୁର ପ୍ରତି ସରକାରଙ୍କ ବ୍ରହ୍ମପୁର ପ୍ରତି ଯେଉଁ ଅବିଚାର ଓ ବୈମାତୃକ ମନୋଭାବ ରହିଛି ତାହାକୁ ବେଲଟ ବାକ୍ସ ଜରିଆରେ ଦିଆଯିବା ନେଇ କମିଟି ସ୍ତରରେ ଗମ୍ଭୀରତାର ସହ ବିଚାର ବିମର୍ଶ ଚାଲିଛି। କମିଟି ସଦସ୍ୟମାନେ ଭୋଟ ବର୍ଜନ ଭଳି ପାରମ୍ପରିକ ଧାରରୁ ହଟି ବ୍ରହ୍ମପୁର ଓ ଗୋପାଳପୁର ବିଧାନସଭା ନିମନ୍ତେ ମେୟର ନିର୍ବାଚନ ଭଳି ଦୁଇଟି ଉତ୍ତମ, ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ତଥା ସମାଜ ଓ ଅଞ୍ଚଳ ପ୍ରତି ସମର୍ପିତ ଶିକ୍ଷିତ ପାର୍ଥି ପ୍ରତିଦ୍ବନ୍ଦିତା ନିମନ୍ତେ ଛିଡା କରିବା ନେଇ ଯେଉଁ ପ୍ରସ୍ତାବ ରଖିଛନ୍ତି ତାହା ଉପରେ ଖୁବ୍ ଶୀଘ୍ର କମିଟି ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇ ମୋହର ମରାଯିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ସରକାର ବ୍ରହ୍ମପୁର, ଗଞ୍ଜାମ ବିଶେଷ କରି ଦକ୍ଷିଣ ଓଡ଼ିଶାର ବିକାଶ ଓ ଉନ୍ନୟନ ପ୍ରତି ଯେଉଁ ସାବତ ମାର ଆଚରଣ ପ୍ରଦର୍ଶନ କରି ଆସିଛନ୍ତି ତାହା ସଚେତନ ନାଗରିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ପ୍ରକଟ କରିଛି। କୌଣସି ରାଜନୈତିକ ଦଳ ସେ ଜାତୀୟ ସ୍ତରର ହେଉ କିମ୍ବା ଆଞ୍ଚଳିକ ସମସ୍ତେ ଏହି ଅଞ୍ଚଳର ସାମୁହିକ ବିକାଶ ଓ ଆବଶ୍ୟକତାକୁ ଅକ୍ଷମଣୀୟ ଅବହେଳା କରି ଆସିଛନ୍ତି। ଆଞ୍ଚଳିକ ଓ ସ୍ଥାନୀୟ ସ୍ତରରେ ଭିତ୍ତିଭୂମି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ପର୍ଯ୍ୟଟନ ଓ କ୍ରୀଡା ସଂସ୍କୃତି ଅଗ୍ରଗତି କ୍ଷେତ୍ରରେ କୌଣସି ଆଖି ଦୃଶିୟା ପଦକ୍ଷେପ ଗ୍ରହଣ କରିବାକୁ ସମର୍ଥ ହୋଇନାହାନ୍ତି। ସବୁ ପ୍ରତିଷ୍ଠିତ ରାଜନୈତିକ ଦଳ ସେମାନଙ୍କ ପାର୍ଟି ଓ ବ୍ୟକ୍ତିଗତ ସ୍ବାର୍ଥ ସୁରକ୍ଷାରେ ଲିପ୍ତ ରହି ସ୍ଥାନୀୟ ଏଜେଣ୍ଡା କୁ ପଛକୁ ଠେଲି ଦେଇ ନିଜ ଏଜେଣ୍ଡା ପୁରଣ ଦିଗରେ କାମ କରି ଏହି ଅଞ୍ଚଳକୁ ଏକ କର୍ମ ବିହୀନ ପଛୁଆ ଜିଲ୍ଲାରେ ପରିଣତ କରିଦେଇଛନ୍ତି। ରାଜନୈତିକ ଦଳ ମାନେ ମନ ଇଚ୍ଛା ଅବାଞ୍ଛିତ ଅଯୋଗ୍ୟ ପର୍ଥି ଦଳୀୟ ଆଧାରରେ ଭୋଟର ମାନଙ୍କ ଉପରେ ଲଦି ଦେଉଛନ୍ତି। ବର୍ତ୍ତମାନ ସମୟ ଆସିଛି ସମାଜକୁ ଓ ନିଜ ଅଞ୍ଚଳକୁ ଭଲ ପାଆନ୍ତି ଏବଂ ଏହାର ଉନ୍ନତି କଳ୍ପେ ଲଢେଇ କରୁଛନ୍ତି ସେଭଳି ଶିକ୍ଷିତ ଓ ଦାୟିତ୍ବବାନ ସମର୍ପିତ ବ୍ୟକ୍ତି ମାନେ ରାଜନୈତିକ ମଇଦାନରେ ଭାଗ ନେବା ପାଇଁ ଆଗେଇ ଆସିବା ଉଚିତ୍।


କମିଟି ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ବ୍ରହ୍ମପୁର ଓ ଗୋପାଳପୁର କୁ ଭଲ ପାଉଛନ୍ତି ଏବଂ ଏହାର ବିକାଶ ମୋଡେଲ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କୁ ଏକ ବିକଳ୍ପ ପନ୍ଥା ଓ ମାର୍ଗ ବାଛିବାକୁ କମିଟି ଅବସର ଦେବ। କମିଟିର ମୁଖ୍ୟ ଲକ୍ଷ୍ୟ ହେଲା ସ୍ଥାନୀୟ ସ୍ତରରେ ରହିଥିବା ସମସ୍ୟା ଓ ଆବଶ୍ୟକତାକୁ ଚିହ୍ନଟ କରି ତାହାର ବିକାଶର ଏକ ମୋଡେଲ ଭୋଟରଙ୍କ ନିକଟରେ ରଖିବା ଏବ ଏହାକୁ ଦୃଷ୍ଟିରେ ରଖି ମତଦାନ କରିବା ନିମନ୍ତେ ପ୍ରୋଛାହିତ କରିବା। ଫଳସ୍ୱରୁପ ଯିଏ ମଧ୍ୟ ନିର୍ବାଚିତ ହେଉନା କାହିଁକି ସେହି ସବୁ ସମସ୍ୟା ଦୂର କରିବା ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ। ସହର ତଳି ଅଞ୍ଚଳ ସମସ୍ୟାକୁ ନେଇ କୌଣସି ରାଜନୈତିକ ଦଳ ଓ ନିର୍ବାଚିତ ପ୍ରତିନିଧି ନିଜର ପ୍ରତିବଦ୍ଧତା ଦେଖେଇ ନାହାନ୍ତି। ତେଣୁ କମିଟି ବାଧ୍ୟ ହେଉଛି ନିର୍ବାଚନର ଅଂଶ ଗ୍ରହଣ କରି ଏହି ସମସ୍ତ ବିଷୟକୁ ଲୋକଙ୍କ ନିକଟରେ ବିଚାର ପାଇଁ ରଖି ରାୟ ମାଗିବ। କମିଟି ଆଶା ପ୍ରକାଶ କରିଛି ବର୍ତ୍ତମାନର ଗୋଳିଆ ରାଜନୈତିକ ପରିସ୍ଥିତିରୁ ଉର୍ଧକୁ ଉଠି ଭୋଟର ମାନେ କମିଟିର ସ୍ଥାନୀୟ ଇସ୍ୟୁ ଭିତ୍ତିକ ଲଢେଇକୁ ଗ୍ରହଣ କରି ବିପୁଳ ସମର୍ଥନ ଯୋଗାଇଦେବେ ଏବଂ ରାଜନୀତିରେ ପରିବର୍ତ୍ତନର ବାହାକ ହେବେ। ଏ ନେଇ କମିଟି ପକ୍ଷରୁ କ୍ୟାଣ୍ଡିଡେଟ କିଏ ଓ କଣ ପ୍ରସଙ୍ଗ ରହିବ ସେ ସମସ୍ତ ବିଷୟ ଖୁବ୍ ଶୀଘ୍ର ସାମ୍ବାଦିକ ସମ୍ମିଳନୀ ଡ଼ାକି ସ୍ପଷ୍ଟ କରାଯିବ। କମିଟି ଆଶା କରୁଛି କମିଟିର ଏହି ପ୍ରୟାସକୁ ଓ ପାର୍ଥିଙ୍କୁ ଅଞ୍ଚଳର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ସମଭାବାପନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତିତ୍ଵ ମାନେ ସମର୍ଥନ ଯୋଗାଇଦେବା ପାଇଁ ଆଗେଇ ଆସିବେ।
ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।