ଜାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ୪୭ତମ ଶ୍ରୀ ରାମଚରିତ ମାନସ ପାରାୟଣ

ଢେଙ୍କାନାଳ,୧୨/୩(ଶୁଭମ ପାଣି): ଢେଙ୍କାନାଳ ସହରସ୍ଥିତ ଯାଉଁଳି ପୋଖରୀ ମଠ ପରିସରରେ ପ୍ରତ୍ୟେକ ବର୍ଷ ପରି ମର୍ଯ୍ୟାଦା ପୁରୁଷୋତମ ରଘୁକୂଳ ତିଳକ ଶ୍ରୀ ରାଘବେନ୍ଦ୍ର ରାମଚନ୍ଦ୍ରଙ୍କର ୪୭ତମ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଆରମ୍ଭ ହୋଇଯାଇଅଛି। ଏହା ୧୩ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯିବ । ଅଦ୍ୟ ୧୨ ତାରିଖ ମଙ୍ଗଳବାର ତୀର୍ଥ ବାହନ ଅବସରରେ ବ୍ରାହ୍ମଣୀ ନଦୀ କମଗରା ଘାଟ ଠାରେ ପୂଜାର୍ଚ୍ଚନା କରାଯାଇ ବାଦ୍ୟ ସଂକୀର୍ତନ ଦ୍ବାରା ୨୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ସହର ପରିକ୍ରମା କରି ମଠ ପ୍ରାଙ୍ଗଣରେ ଶୁଭାଧୁବାସ ଆରମ୍ଭ ହୋଇ ପାରାୟଣ ମଂଚ ସ୍ଥାପନ, ପୂଜନ, ହବନ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା । ସଂଧ୍ୟା ୮ଟାରେ ଶ୍ରୀଶ୍ରୀ ଜୀଉଙ୍କର ପାରାୟଣ ମଣ୍ଡପ ବିଜେ ଆରତୀ ଓ ଉଦ୍‌ଘାଟନ ହୋଇଥିଲା । ଆଗନ୍ତୁକ ସାଧୁସନ୍ଥମାନଙ୍କ ଦ୍ବାରା ଭଜନ, କୀର୍ତନ ଓ ଶ୍ରୀ ହନୁମାନ ଚାଳିଶା ପଠନ କରାଯାଇଥିଲା । ପ୍ରତ୍ୟେକ ଦିନ ବ୍ୟାସ ଲକ୍ଷ୍ମୀ ନାରାୟଣ ଦାସଜୀ ମହାରାଜ ଓ ଧାରକ ଅମନ୍ତ୍ରିତ ସାଧୁସନ୍ଥ ଓ ମାନସପ୍ରେମୀ ଭକ୍ତ ବୃନ୍ଦଙ୍କ ଦ୍ବାରା ସନ୍ଥ ଶିରୋଣୀ ଗୋସାମୀ ତୁଳସୀ ଦାସଜୀ ମହାରାଜଙ୍କ କୃତ ଶ୍ରୀ ରାମଚରିତ ମାନସ ନବାହ୍ନ କ୍ରମରେ ପାଠ ହେବ। ଆଚାର୍ଯ୍ୟ ଅମରେନ୍ଦ୍ର ନନ୍ଦ ଓ ସହଯୋଗୀ ରିତିକ୍ ବୃନ୍ଦଙ୍କ ଦ୍ବାରା ପ୍ରତ୍ୟହ ପ୍ରାତଃ ୭ ଘଟିକା ଠାରୁ ସୂର୍ଯ୍ୟପୂଜା, ଗୋ-ପୂଜା, ରୁଦ୍ରାଭିଷେକ, ଗୀତା ଓ ଶ୍ରୀ ବିଷ୍ଣୁ ସହସ୍ରନାମ, ଶ୍ରୀ ରାମାର୍ଜନ ଓ ତତ୍‌ପରେ ୧୧ ଘଟିକା ଠାରୁ ଯଜ୍ଞ ଅନୁଷ୍ଠିତ ହେବ । ପ୍ରତ୍ୟହ ସଂଧ୍ୟା ୬ଟା ୩୦ ମି. ରେ ଶ୍ରୀ ଜୀଉଙ୍କର ପାରାୟଣ ମଣ୍ଡପ ବିଜେ ଆରତୀ, ଅସ୍ତୁତି ଓ ସାଧୁସନ୍ଥଙ୍କ ଦ୍ବାରା ଶ୍ରୀରାମ ନାମ ଭଜନ କୀର୍ତନ ଓ ଶ୍ରୀ ହନୁମାନ ଚାଳିଶା ପାଠ କରାଯିବା ସହିତ ପ୍ରତ୍ୟେହ ସଂଧ୍ୟା ୭ ଘଟିକାରେ କଥା ବାଚକଙ୍କ ଦ୍ୱାରା ଶ୍ରୀରାମ କଥାମୃତ ଧାରା ପ୍ରବାହ ଅନୁଷ୍ଠିତ ହେବ । ଏଥିରେ ମଂଚ ପରିଚାଳକ ତଥା ଉପସ୍ଥାପନା କରିବେ ବିଶ୍ବମ୍ବର ଦାସଜୀ ମହାରାଜ । ଉକ୍ତ କାର୍ଯ୍ୟକ୍ରମକୁ ମଠର ମହନ୍ତ ବ୍ରହ୍ମାନନ୍ଦ ଦାସଜୀ ମହାରାଜ ପରିଚାଳନା କରିଥିବାବେଳେ ପ୍ରଭୁପାଦ ଦାସଜୀ ମହାରାଜ ସହଯୋଗ କରିଥିଲେ। ଏଥିରେ ଉଦ୍ୟୋକ୍ତା ଭାବେ ମୁରଲୀ କୁମାର ଭଞ୍ଜ, ସଞ୍ଜୟ କୁମାର ଭଞ୍ଜ, ସୁଶାନ୍ତ କୁମାର ଜେନା, ପ୍ରତାପ କୁମାର ମହାନ୍ତି, ସରୋଜ କୁମାର ମହାନ୍ତି, ଶିବ ପ୍ରସାଦ ଦାଶ, ପ୍ରଦ୍ୟୁମ୍ନ କୁମାର ପାଢୀ ଓ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।