ଆସନ୍ତା ମାର୍ଚ୍ଚ ୮ ତାରିଖ ଶୁକ୍ରବାର ଦିନ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ଜାଗର ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ରାତ୍ର ୩ ଟା ୫୫ ମି. ରୁ ବେଢା ପୂଜା, ବେଢା ପରିକ୍ରମା ଓ ମହାଦୀପ ଉଠାଣ

ଢେଙ୍କାନାଳ,(ଶୁଭମ ପାଣି):ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠରେ ମହାଶିବ ରାତ୍ରି ଜାଗର ଯାତ୍ରା ପର୍ବ ଅନୁଷ୍ଠାନ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ମାନଙ୍କର ଆଗମନକୁ ଦୃଷ୍ଟିରେ ରଖ୍ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହିତ ଜାଗର ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମାପନ ହୋଇପାଇରିବ ସେଥ‌ିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଯାତ୍ରା ମଧ୍ୟରେ ଧନଜୀବନର ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନତା, ପଲିଥୁନ ବ୍ୟବହାର ନ କରିବା ପ୍ରତି ସର୍ବାଧିକ ଗୁରୁତ୍ବ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ରାଜପୁରୋଧାଙ୍କ ନିର୍ଘଣ୍ଟ ଅନୁଯାୟୀ ରାତ୍ର ୩ ଟା ୫୫ ମି. ରୁ ରାତ୍ର ୪ ଟା ୧୭ ମି . (ଅମୃତବେଳା) ମଧ୍ୟ ବେଢା ପୂଜା, ବେଢା ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ ସମ୍ପର୍ଣ୍ଣ ହେବ । ଜାଗର ଯାତ୍ରାକୁ ବ୍ୟବସ୍ଥିତ ଭାବେ ଆୟୋଜନ ନିମନ୍ତେ ମନ୍ଦିର ପ୍ରାଙ୍ଗଣ ଭିତରେ ଏବଂ ବାହାରେ ଆଲୋକ ସଜ୍ଜା, ଯାତାୟାତ ବ୍ୟବସ୍ଥା, ଗାଡି ପାକଂ ନିମନ୍ତେ ଭଡା ଧାର୍ଯ୍ୟ, ମାଦକ ଦ୍ରବ୍ୟ ବିକ୍ରି ଯାଞ୍ଚ, ସର୍ପ ଉଦ୍ଧାରକାର୍ଯ୍ୟ, ଜଳଯୋଗାଣ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ବ୍ୟବସ୍ଥିତ ଭାବେ ଦୀପ ଜାଳିବା, ବିଦ୍ୟୁତ ଯୋଗାଣ, ଆଶୁଚିକିତ୍ସା ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା, କଣ୍ଟ୍ରୋଲ ରୁମ ସ୍ଥାପନ, ଜେନେରେଟର ବ୍ୟବସ୍ଥା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମନ୍ଦିର ଆଖପାଖ ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ଵ ଦିଆଯିବା ସହିତ ପଲିଥୁନ ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯିବ ବୋଲି ଆଲୋଚନା ହୋଇଥିଲା। ବୈଠକ ପ୍ରାରମ୍ଭରେ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ସଦର ଉପ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ ଜାଗର ଯାତ୍ରା ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମଡକର ସନ୍ଦୀପ ସମ୍ପଦ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦିଲ୍ଲୀପ କୁମାର ବିଶ୍ଵାଳ, ଦେବୋତ୍ତର ନିରୀକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା ( ରାଜସ୍ବ ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।