ବିଭିନ୍ନ ଦାବୀ ନେଇ ଢେଙ୍କାନାଳ ପାଚିକା ସହାୟିକା ସଂଘ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ,୧୬/୨(ଶୁଭମ ପାଣି): ନିକ ଓଡିଶା ଏମ୍‌ଡିଏମ୍ ପାଚିକା ସହାୟିକା ସଂଘ ସଦର ବ୍ଳକ୍ କମିଟି ତରଫରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଜିଲ୍ଲା ସଭାପତି ରବି ରଥଙ୍କ ତତ୍ବାବଧାନରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରଦାନ କରିଛନ୍ତି । ବିଗତ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ପାଚିକାମାନଙ୍କର ସମସ୍ୟାକୁ ଅବଗତ କରାଇଥିଲେ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି । ଏପରିସ୍ଥଳେ ସର୍ବ ଭାରତୀୟ ଶ୍ରମିକ ଧର୍ମଘଟରେ ସାମିଲ୍ ହୋଇ ଉକ୍ତ ଦାବୀଗୁଡିକୁ ଉପସ୍ଥାପନ କରିଛନ୍ତି । ଜାତୀୟ ଶ୍ରମ ସମ୍ମିଳନୀ ଅନୁସାରେ ପାଚିକା ଓ ସହାୟିକାମାନଙ୍କୁ ଶ୍ରମିକର ମାନ୍ୟତା ଦିଆଯାଉ, ପାଚିକା ସହାୟିକାମାନଙ୍କୁ ଶିକ୍ଷା ବିଭାଗ ତରଫରୁ ପେନ୍‌ସନ୍ ଦେବାର ବ୍ୟବସ୍ଥା କରାଯାଉ, ପାଚିକା ସହାୟିକାମାନଙ୍କୁ ସର୍ବନିମ୍ନ ମଜୁରୀ ଦିଆଯାଉ, ଗତ ୨୦୨୨ ମସିହାରେ ଛୁଟି ୨ମାସ କାମ କରିଥିବା ଦୃଷ୍ଟିରୁ ଉକ୍ତ ୨ ମାସର ପାରିଶ୍ରମିକ ପ୍ରଦାନ କର, ବର୍ଷକୁ ୧୦ ମାସ ବଦଳରେ ୧୨ ମାସର ପାରିଶ୍ରମିକ ଅର୍ଥ ପ୍ରଦାନ କର । ଆକ୍ରୋଶମୂଳକ ଛଟେଇକୁ ବନ୍ଦ କରାଯାଉ, ଛଟେଇ ହୋଇ ରହିଥ‌ିବା ପାଚିକା ସହାୟିକାମାନଙ୍କୁ ନିଯୁକ୍ତି ଦିଆଯାଉ, ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ପାଚିକା ସହାୟିକାମାନଙ୍କୁ ଦିଆଯାଉ, ସ୍କୁଲ୍ ପରିଚାଳନା କମିଟି ଦ୍ୱାରା ପାଚିକାମାନଙ୍କୁ ଦିଆଯାଉଥିବା ନିଯୁକ୍ତିକୁ ରବ୍ଦ କରାଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଦିଆଯାଉ, ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କ ଭଳି ପାଚିକାମାନଙ୍କର ବୟସ ୬୨ ବର୍ଷରେ କାର୍ଯ୍ୟକାରୀ କରାଯାଉ । ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ତରଫରୁ ନିବେଦନ କରାଯାଇଛି । ଏହି ଦାବୀ ପ୍ରଦାନ ବେଳେ ବ୍ଲକ୍ ସଭାପତି ଶାଢିପ୍ରିୟା ସାହୁ, ସମ୍ପାଦିକା ସୁବାସିନୀ ବେହେରା, କାଂଚନ ବେହେରା, ସସ୍ମିତା ରାଉତ ଓ ଲିଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।