ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଏହି ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ସମୀକ୍ଷା କରିଛନ୍ତି l ପ୍ରଥମେ ସେ ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମୁଣ୍ଡୋଘାଟ ଓ ନାୟକପଡା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ପ୍ରାକ୍ ସ୍କୁଲ ଶ୍ରେଣୀର ବାଳକ ବାଳିକା ମାନଙ୍କ ସହିତ କଥାବାର୍ତ୍ତା ଓ ଭାବ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିଥିଲେ l ସେମାନଙ୍କ ଗ୍ରୋଥ ମନିଟରିଂ କୁ ନିଜେ ପୁନଃ ନିରୀକ୍ଷଣ କରିବା ସହିତ ଉପସ୍ଥିତ ପରିପୂରକ ପୃଷ୍ଟିକର ଭୋଜନ କାର୍ଯ୍ୟକ୍ରମ ଏବଂ ମମତା ହିତାଧିକାରୀଣୀ ମାନଙ୍କ ସହିତ କଥାବାର୍ତ୍ତା କରି ସରକାରଙ୍କ ଦ୍ଵାରା ପ୍ରଦତ୍ତ ଏହି ମାତୃକଲ୍ୟାଣ ଯୋଜନାର ସୁଫଳ କିଭଳି ଭାବରେ ପାଉଛନ୍ତି ପଚାରି ବୁଝିଥିଲେ I ଏହାପରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଅଧିକାରୀ, ଅଙ୍ଗନବାଡି ସୁପରଭାଇଜର, ଏବଂ ସମନ୍ଵିତ ମହିଳା ଓ ଶିଶୁ ବିକାଶ ଅଧିକାରୀଣୀ ମାନଙ୍କ ଏକ ରିଭ୍ୟୁ ମିଟିଂ କରିଥିଲେ l ଆଜିକାର ସଭାରେ ଜିଲ୍ଲାପାଳ ଅନ୍ୟା ଦାଶ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନିତା ଗୁରୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜିଲ୍ଲା ସଂଯୋଜକ ପୋଷଣ ସଂଜୀବ କୁମାର ମିଶ୍ର, ଜିଲ୍ଲା ସଂଯୋଜକ ମମତା ପ୍ରତାପ କିଶୋର ପ୍ରଧାନ ଏବଂ ସମ୍ପୃକ୍ତ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ I ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀମତୀ ବାନାର୍ଜୀ ଏହାପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ରେ ଦକ୍ଷତା ର ସହିତ ଜିଲ୍ଲାପାଳ ଦାୟିତ୍ଵ ନିର୍ବାହ କରିଛନ୍ତି l