ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

ଗୁଣପୁର,୦୫/୦୨(ସିଦ୍ଧାର୍ଥ ଦାଶ):ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । +୨ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ସଭାପତିତ୍ବ କରିଥିଲେ । ଦୀର୍ଘ ଆଠଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏ କାର୍ଯ୍ୟକ୍ରମରେ ସମସ୍ତଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଛାତ୍ରୀମାନଙ୍କୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ସାହୁ ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ, ନିଜକୁ ରକ୍ଷା କରିବା ପାଇଁ ଆତ୍ମରକ୍ଷା କରାଯାଏ । ଏହା ହେଉଛି ଏକ ଉପାୟ ଯାହା ଦ୍ୱାରା ଆପଣ ଯେକୌଣସି ପରିସ୍ଥିତିରେ ନିଜକୁ ଅନେକ ଉପାୟରେ ରକ୍ଷା କରିପାରିବେ । ଯଦିଓ ଆପଣ ଏକୁଟିଆ ଅଛନ୍ତି ଏବଂ ଆପଣ ଆତ୍ମରକ୍ଷା କୌଶଳ ଜାଣିଛନ୍ତି, ତେବେ ଆପଣ ସହଜରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତିଙ୍କ ସହ ଲଢ଼ି ପାରିବେ ଏବଂ ନିଜକୁ ରକ୍ଷା କରିପାରିବେ । ଭାରତୀୟ ଦଣ୍ଡ ବିଧାନ ସଂହିତାରେ ଏହାର ଉଲ୍ଲେଖ ରହିଥିବା କଥା ସେ ନିଜ ବକ୍ତବ୍ୟରେ କହିଥିଲେ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବର୍ତ୍ତମାନ ଯୁଗରେ ଅଳ୍ପ ବୟସରୁ ଆତ୍ମରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି । ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା, ସେମାନଙ୍କୁ ନିର୍ଭୀକ କରିବା ଓ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସାହସୀ କରିବା ନିମନ୍ତେ ଆତ୍ମରକ୍ଷା ପ୍ରଶିକ୍ଷଣ ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ନମିତା ମୁଦୁଲି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ସୁଶ୍ରୀ ଚିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଏକାର୍ଯ୍ୟକ୍ରମର ଦୁଇଜଣ ପ୍ରଶିକ୍ଷକ ଶ୍ରୀମତୀ ମମିତା ଶବର ଓ ଶ୍ରୀମତୀ ବିମଳା ଜେନା ଛାତ୍ରୀମାନଙ୍କୁ ଆତ୍ମରକ୍ଷାର କେତେକ କୌଶଳ ବତାଇଥିଲେ ।