ଢେଙ୍କାନାଳ,୧୬ା୧୨(ଶୁଭମ ପାଣି): ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଉପଲକ୍ଷେ ଆରୋଗ୍ୟମ୍ ଯୋଗ ଏବଂ ୱେଲଫେୟାର ଆସୋସିଏସନ (ଆଇୱା), ଢେଙ୍କାନାଳର କାର୍ଯ୍ୟକର୍ତ୍ତାମାନେ ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉ. ପ୍ରା ବିଦ୍ୟାଳୟ,ଗହମଖୁଣ୍ଟି ପରିସରରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗହମଖୁଣ୍ଟି ଉ. ପ୍ରା ବିଦ୍ୟାଳୟର ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ର, ସ୍କୁଲର ଶିକ୍ଷୟତ୍ରୀ, ଶିକ୍ଷକ, ଅଙ୍ଗନବାଡି କର୍ମୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ lକାର୍ଯ୍ୟକ୍ରମଟି ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ନମିତା ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା |ଆଇୱାର ନିର୍ଦ୍ଦେଶିକା ଅନସୂୟା ମିଶ୍ର, ଉପସ୍ଥିତ ଛାତ୍ରୀଛାତ୍ର ଏବଂ ମହିଳାମାନଙ୍କ ସହ ଆଲୋଚନା କ୍ରମରେ ଶକ୍ତିର ବିଭିନ୍ନ ଉତ୍ସ, ଶକ୍ତି ସଂରକ୍ଷଣର ଆବଶ୍ୟକତା ଏବଂ ଉପକାରିତା ତଥା ଅକ୍ଷୟ ଶକ୍ତିର ବ୍ୟବହାର ଦ୍ୱାରା କିପରି ପରୋକ୍ଷ ଭାବରେ ଶକ୍ତି ସଂରକ୍ଷଣ କରାଯାଇ ପାରିବ ସେ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ |ଏହା ସଙ୍ଗେ ସଙ୍ଗେ ବିଶ୍ୱର ବାର୍ତ୍ତାମାନର ସର୍ବବୃହତ ସମସ୍ୟା ବିଶ୍ୱ ତାପନ ବୃଦ୍ଧିର କାରଣ ଏବଂ ଶକ୍ତି ସଂରକ୍ଷଣ ଦ୍ୱାରା କିପରି ତାକୁ କିଛି ପରିମାଣରେ ନିୟଂତ୍ରଣ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ |କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆଇୱାର ଯୋଗ ପ୍ରଶିକ୍ଷିକା ମନସ୍ବିନୀ ମିଶ୍ର ଉପସ୍ଥିତ ଥିବା ସମସ୍ତଙ୍କୁ ଯୋଗର ଉପକାରିତା ବିଷୟରେ ଜଣାଇଥିଲେ |ଶେଷରେ ଆଇୱାର ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ଏବଂ ଅନୁଷ୍ଠାନ ତରଫରୁ ଉପସ୍ଥିତ ଛାତ୍ରୀଛାତ୍ର ତଥା ମହିଳାମାନଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ |