ଜୟପାଟଣା, (ମଳୟ କୁମାର ସାହୁ) : – କ୍ରମାଗତ ଭାବରେ ଜନନୀ ଯନ୍ତ୍ରଣା ଭୋଗୁଥିବା ପାହାଡି ପ୍ରସୂତି ମାନଙ୍କ ପାଇଁ ନିରାପଦ ମାତୃତ୍ଵ ସମ୍ପୂର୍ଣ୍ଣ ଫେଲ ମାରି ସାରିଛି । ନଳାଚୁଆଁ ଗ୍ରାମର ଦୁଇ ଦୁଇ ଜଣ ପ୍ରସୂତି ଖଟିଆ ରେ ବୁହା ହୋଇ ୫କିଲୋମିଟର ରାସ୍ତା ଅତିକ୍ରମ କରି ପ୍ରସବ କରିଥିବା ବେଦନା ଭରା ମୁହୁର୍ତ ଏବେ ବି ଲୋକଙ୍କ ମାନସ ପଟରୁ ଲିଭି ନ ଥିବା ବେଳେ ପୁଣି ଚାରି ଜଣ ଗର୍ଭବତୀ ଏବେଠୁ ଆଶଙ୍କା ମଧ୍ୟରେ ଦିନ କାଟୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଧନଶୁଳି ପଞ୍ଚାୟତର ପାହାଡ଼ର ଶୀର୍ଷରେ ରହିଥିବା ନଳାଚୁଆଁ ଗ୍ରାମର ଲଳିତା ଜାନୀଙ୍କ ଗତ ଫେବୃଆରୀ ୨୬ତାରିଖ ଦିନ ହଠାତ୍ ଗର୍ଭ ବେଦନା ଆରମ୍ଭ ହୋଇଥିଲା। ପରିବାର ର ବେସାହାରା ଭାବରେ କିଛି ଚିନ୍ତା କରିବା ପୂର୍ବରୁ ଲଳିତା ସ୍ଵାଭାବିକ ଭାବରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେବାପରେ ସମ୍ପୂର୍ଣ ଅସୁସ୍ଥ ହୋଇପଡ଼ିଥିଲେ। ଧନଶୁଲି ଡାକ୍ତରଖାନାକୁ ଖବର କଲା ପରେ ସେମାନେ ପାହାଡ଼ ଚଢି ଦେବ ଦୂତ ଭଳିଆ ପ୍ରସୂତି ପାଖରେ ପହଞ୍ଚି ଥିଲେ । ଅବସ୍ଥା ଗୁରୁତର ଥିବାରୁ ଏକ ଖଟିଆରେ ପାଞ୍ଚ କିଲୋମିଟର ରାସ୍ତା ଓହ୍ଲାଇବାକୁ ପଡ଼ିଥିଲା। ତଳେ ଅପେକ୍ଷା କରିଥିବା ଆମ୍ବୁଲାନ୍ସରେ ଦେବା ପୂର୍ବରୁ ପ୍ରସୂତିଙ୍କ ଅବସ୍ଥା ଗୁରୁତର ହୋଇ ଉଠିଥିଲା। ସେଠାରେ ଜରୁରୀକାଳୀନ ଚିକିତ୍ସା କରି ପୁଣି ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଗଲା। ସେଠାରେ ପୁଣି ଏକ ମୃତ କନ୍ୟା ଜନ୍ମ ନେଇଥିଲା। ସେଭଳି କଷ୍ଟ ପରେ ମଧ୍ୟ ସରକାର କିମ୍ବା ପ୍ରଶାସନର ନିଦ ଭାଙ୍ଗିଲା ନାହିଁ। ପୁଣି ନଅ ମାସ ପରେ ସେଭଳି ଘଟଣାର ପୁନରାବୃତ୍ତି ଘଟିଲା । ଗତ ନଭେମ୍ବର ଛଅ ତାରିଖ ଦିନ ସୂକ୍ରୀ ଜାନୀର ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲା। ପରିବାର ଲୋକେ ଅନନ୍ୟ ଉପାୟ ନ ଦେଖି ଏକ ଖଟିଆ ରେ ପ୍ରସୂତି କୁ ବୋହି ପାଞ୍ଚ କିଲୋ ମିଟର ଘାଟି ଓହ୍ଲାଇ ଥିଲେ। ଠିକ୍ ସେତିକି ବେଳେ ସେହି ଖଟିଆ ରେ ଶୁକ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଆମ୍ବୁଲାନ୍ସ ଓ ଚିକିତ୍ସା ଦଳ ପହଞ୍ଚି ଜୟପାଟଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଦୁଇ ଶହ ବର୍ଷ ଧରି ବିକାଶ ଧାରା ରୁ ବଂଚିତ ରହିଥିବା ରାଜସ୍ବ ଗାଁ ପାଇଁ ଏବେବି ସଡ଼କ ଖଣ୍ଡିଏ ସ୍ୱପ୍ନ ପାଲଟିଛି । ଦୁଇ ପ୍ରସୂତିଙ୍କ ପାଇଁ ନିରାପଦ ମାତୃତ୍ବ ପ୍ରଶ୍ନ ଉଠାଇ ସାରିଥିବା ବେଳେ ଏବେ ଗାଁ’ରେ ରହିଥିବା ପୂଣି ଚାରିଜଣ ଗର୍ଭବତୀ ହାରା ବତୀ, ସବିତା, ଲକ୍ଷ୍ମୀଓ ତମାଏଙ୍କ ଚିନ୍ତା ଏବେଠାରୁ ବଢିବା ଆରମ୍ଭ ହୋଇଗଲାଣି। ପ୍ରସୂତିଙ୍କ ପାଇଁ ସବୁବେଳେ ଦୁଃଖ ପାଲଟି ଆସିଥିବା ନଲାଚୁଆଁ ଗ୍ରାମର ବିକାଶ ସହିତ ସଂଯୋଗ ବ୍ୟବସ୍ଥାକୁ ସରକାର କେତେ ତତ୍ପରତା ସହିତ ନେଉଛନ୍ତି ତାହା ଦେଖିବାର ବେଳ ଆସିଛି।