କଳାହାଣ୍ଡି,୨୨/୧୦(ମଳୟ କୁମାର ସାହୁ)-କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ବରୀ ବିଶ୍ବ ପ୍ରସିଦ୍ଧ ଛତର ଯାତ୍ରା ମହାସମାରୋହରେ ଆୟୋଜିତ ହୋଇଛି । ବିଶ୍ବର ସର୍ବବୃହତ ଖୋଲାମଞ୍ଚରେ ହଜାର ହଜାର ସୌଖୀନ ଓ ଚିତ୍ରବିଚିତ୍ର କଳାକାରଙ୍କ ସହିତ ହଜାରେ ରୁ ଉର୍ଦ୍ଧ୍ବ ବାଦ୍ୟକାର ଓ ଘଣ୍ଟୁଆଙ୍କୁ ନେଇ ୨୨ଟି ସାଂସ୍କୃତିକ ଦଳ ଏବଂ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ଜେନାଖାଲଠାରୁ ପୂଜାର୍ଚ୍ଚନା ପରେ ମାଣିକେଶ୍ବରୀଙ୍କ ଛତରଯାତ୍ରା ମନ୍ଦିର ଅଭିମୁଖେ ବାହାରିଥିଲା । ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାମିଳନର ଏଇ ବିଶାଳ ଶୋଭାଯାତ୍ରାରେ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର, କନ୍ଧମାଳ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକେ ସାମିଲ ହୋଇଥିଲେ । ସେହିପରି ଛତରଯାତ୍ରା ଯାଉଥିବା ରାସ୍ତାର ଉଭୟ ପାର୍ଶ୍ବରେ ହଜାରହଜାର ସଂଖ୍ୟାରେ ବୋଦା, ଗଡ୍ଡରା ଓ କୁକୁଡ଼ା ବଳି ଦିଆଯାଉଥିବା ଦେଖିବାକୁ ମିଳିଥିଲା । ସେହିପରି ଛତରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ କରିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ପୁଲିସ ପ୍ରଶାସନ, ଭବାନୀପାଟଣା ପୌରପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଳାହାଣ୍ଡି ଏସ୍ ପି ଅଭିଳାଷ ଜୀଙ୍କ ନେତୃତ୍ବରେ ୨ ଜଣ ଏଡିସନାଲ୍ ଏସପି, ୯ ଜଣ ଡିଏସପି, ୧୯ଜଣ ଇନ୍ସପେକ୍ଟର, ୩୧ଜଣ ସବଇନ୍ସପେକ୍ଟର, ୫୪ ଜଣ ଏଏସ୍ଆଇଙ୍କ ସମେତ ୧୨ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଥିଲେ ।