ଢେଙ୍କାନାଳ, ୧୫/୦୯(ଶୁଭମ ପାଣି) : ଜିଲ୍ଲାରେ ଥିବା ଗ୍ରାମାଞ୍ଚଳର ସମସ୍ତ ମହାବିଦ୍ୟାଳୟର ରୂପାନ୍ତରଣ ହେବ । ଏଥୂପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥିତ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ମହାବିଦ୍ୟାଳୟର ରୂପାନ୍ତିକରଣ ନିମନ୍ତେ ୧୦ ରୁ ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥରେ ଆବଶ୍ୟକ ସ୍ଥଳେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଳାସ ରୁମ, ଖେଳ ପଡିଆ ପ୍ରସ୍ତୁତି, କ୍ରୀଡା ଉପକରଣ କ୍ରୟ, ଶ୍ରେଣୀଗୃହ ମରାମତି ବୃକ୍ଷ ରୋପଣ, ସୌନ୍ଦର୍ଯ୍ୟକରଣ କରାଯିବ । ଗ୍ରାମାଞ୍ଚଳର ମହାବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ଓ କାର୍ଯ୍ୟ ତଦାରଖ ନିମନ୍ତେ ମନିଟରିଙ୍ଗ କମିଟି ଗଠନ କରିବାକୁ ଜିଲ୍ଲାପାଳ ସମସ୍ତ ପ୍ରିନ୍ସପାଲମାନଙ୍କୁ କହିଛନ୍ତି । ଶିକ୍ଷାଦାନ ସହିତ ପିଲାମାନଙ୍କର ଚରିତ୍ର ଗଠନ, ନୈତିକ ଶିକ୍ଷାଦାନ, ସବୁଜିମା ପରିବେଶ ଉପରେ ଅଧିକ ଧ୍ୟାନ ଦେବାକୁ କହିଛନ୍ତି । ଗ୍ରାମାଞ୍ଚଳରେ ଥିବା ସମସ୍ତ ମହାବିଦ୍ୟାଳୟ ଗୁଡିକର ଉନ୍ନତି ଓ ରୂପାନ୍ତିକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ମହାବିଦ୍ୟାଳୟ ଗୁଡିକର ଉନ୍ନତି ଓ ରୂପାନ୍ତିକରଣ କାର୍ଯ୍ୟରେ ଉଚ୍ଚମାନର ସାମଗ୍ରୀ ବ୍ୟବହାର କରାଯିବ । ବୃକ୍ଷ ରୋପଣ, ସୌନ୍ଦର୍ଯ୍ୟକରଣ ଆଦି କାର୍ଯ୍ୟରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବାକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଉପସ୍ଥିତ ସମସ୍ତ ପ୍ରିନ୍ସପାଲମାନଙ୍କୁ କହିଛନ୍ତି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା ରାଜସ୍ଵ, କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ପ୍ରିନ୍ସ ପାଲ ଏବଂ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।