ଆସିଲା ଓଡ଼ିଶା ବନ ବିଭାଗର ତଦନ୍ତ ରିପୋର୍ଟ ; ପାଦଚିହ୍ନ ସତ, ମହାବଳ ଭିଡିଓ ମିଛ ….!

ଗୁଣପୁର – (ସିଦ୍ଧାର୍ଥ ଦାଶ ): ଆସିଛି ଓଡ଼ିଶା ବନ ବିଭାଗର ତଦନ୍ତ ରିପୋର୍ଟ। ଆନ୍ଧ୍ର-ଓଡ଼ିଶା ସୀମାରେ ମହାବଳ ବାଘ ଘୂରି ବୁଲୁଥିବା ଏବଂ ବିକଟାଳ ଗର୍ଜନ କରୁଥିବା କଥା ମିଛ। କେବଳ ପାଦଚିହ୍ନକୁ ଛାଡ଼ି ଦେଲେ, ମହାବଳ ସମ୍ପର୍କରେ ଆଉ କିଛି ବି ସୁରାକ ମିଳିନି। ସୀମାନ୍ତ ଆନ୍ଧ୍ରରେ ଠାବ ହୋଇଥିବା ବାଘର ପାଦଚିହ୍ନକୁ ସାଇଣ୍ଟିଫିକ୍ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ ସୀମାନ୍ତ ଅଞ୍ଚଳବାସୀଙ୍କୁ ପରାମର୍ଶ ଦିଆଯାଇଛି। ଲୋକଙ୍କୁ ପଚରାଉଚରା କରିଛନ୍ତି। ତଦନ୍ତ ରିପାର୍ଟରୁ ମିଳିଥିବା ସୂଚନା ମୁତାବକ, କେଉଁ ଏକ ବାଘ ଦିନଟିଏ ପାଇଁ ଉକ୍ତ ଅଞ୍ଚଳକୁ ଆସି ଚାଲିଯାଇଛି। ଏହା ମହାବଳ ହୋଇନଥାଇ ପାରେ। କାରଣ ମହାବଳ ରହିବା ଭଳି ଜଙ୍ଗଲ ସେହି ଆଖପାଖ ୨୦୦/୩୦୦ କିମି ମଧ୍ୟରେ ଆସିଥିଲେ, ବହୁ ରାସ୍ତାଘାଟ ଓ ଜନବସତି ପାରି ହୋଇ ଆସିବା ବେଳକୁ ନିଶ୍ଚୟ ଶିକାର କରିଥାନ୍ତା। ସେମିତି ବି କିଛି ସୂଚନା ମିଳିନି। ଏଣୁ ଏହା ସମ୍ପୂର୍ଣ୍ଣ ମିଛ ଘଟଣା। ସୀମାନ୍ତବାସୀ ଆତଙ୍କିତ ନ ହେବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି। ଆଖପାଖ କୌଣସି ଅଞ୍ଚଳରୁ ହେଟା କିମ୍ବା ଚିତାଟିଏ ଆସିଥାଇପାରେ ବୋଲି ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି । ଗୁଣପୁର ରେଞ୍ଜର ଅଶୋକ କୁମାର ବେହେରା ଏବଂ ଡେପୁଟି ରେଞ୍ଜର ନୀଳମାଧବ ପାଢ଼ୀଙ୍କ ସମେତ ଏକ ୭ ଜଣିଆ ଟିମ୍ ଆନ୍ଧ୍ର ଯାଇ ଏହି ଘଟଣାର ତଦନ୍ତ କରି ଫେରିଛନ୍ତି। ସେଠାରେ ଆନ୍ଧ୍ର ବନ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ ଅଞ୍ଚଳରେ କୌଣସି ଜୀବଜନ୍ତୁ ମୃତାହତ ବି ହୋଇନାହାନ୍ତି। କେହି ଜଣେ ବି ବାଘ ଚଳପ୍ରଚଳ କରିବାର ଦେଖିନାହାନ୍ତି । ବାଘର ଗର୍ଜନ କେହି ଶୁଣିନାହାଁନ୍ତି । ବାଘ ଥିଲେ ଦୁଇରୁ ତିନିଦିନ ବ୍ୟବଧାନରେ ନିଶ୍ଚୟ ଶିକାର କରିଥାନ୍ତା। ଏମିତିକି ଗତ ୨୦ ବର୍ଷ ହେଲା ଉକ୍ତ ଅଞ୍ଚଳରେ ବାଘ ନଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସୂଚନାଥାଉ କି, ଆନ୍ଧ୍ର-ଓଡ଼ିଶା ସୀମାରେ ଏକ ମହାବଳ ଘୂରି ବୁଲୁଥିବା ନେଇ ଗତ ସପ୍ତାହେ ହେଲା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍ ହେଉଥିଲା । ଗୋଟିଏ ପୋଲ ନିକଟରେ ବାଘଟି ଦୌଡ଼ିଦୌଡ଼ି ଜଙ୍ଗଲ ଭିତରକୁ ଯାଉଥିବା ସହ ବିକଟାଳ ଗର୍ଜନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିଲା ନାନା ଗୁଜବ। କେତେକ ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଥିଲା। ଏହାକୁ ନେଇ ଆତଙ୍କିତ ହୋଇପଡ଼ିଥିଲେ ସୀମାନ୍ତବାସୀ। ଯାହାର ତଦନ୍ତ କରି ବନବିଭାଗ ଉପରୋକ୍ତ ତଥ୍ୟ ପ୍ରଦାନ କରିଛି।