ଦୀର୍ଘ ଦିନପରେ ମାଓବାଦୀଙ୍କ ତାଣ୍ଡବ ଓ ଜାଳିଦେଲେ ୯ ଟି ଗାଡି

ମୁନିଗୁଡା :ତା ୦୧/୦୭(ପ୍ରଫୁଲ କୁମାର ବେହେରା) -ରାୟଗଡା ଜିଲ୍ଲାର ମୁନିଗୁଡା ଦେଓକୁପୁଲି କର୍ସର ଛକ ଠାରେ ଦୀର୍ଘ ଦିନର ନୀରବତା ପରେ ପୁଣି ମାତିଲେ ମାଓବାଦୀ। ପୋଡ଼ାଜଳା ଓ ଲଙ୍କାକାଣ୍ଡ ଘଟାଇ ନିଜର ଉପସ୍ଥିତି ଜାହିର କରିଛନ୍ତି। ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଘଟାଇଛନ୍ତି ଲାଲ ତାଣ୍ଡବ। ଗତକାଲି ରାତିରେ କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ, ପାଞ୍ଚଟି ହାଇବା ଓ ଦୁଇଟି ଲୋଡର ମିଶାଇ ମୋଟ ୯ ଟି ଗାଡି ଓ ମେସିନ ପୋଡ଼ିଦେଇଛନ୍ତି ମାଓବାଦୀ। ସୂଚନା ଅନୁଯାୟୀ, ଗତ ରାତିରେ କିଛି ମହିଳା ସମେତ ୨୫ ରୁ ଉର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ଆସି ପହଞ୍ଚିଥିଲେ ଦେଓକୁପୁଲି ଗାଁ ନିକଟରେ ଥିବା କ୍ରସରରେ। ପ୍ରଥମେ ୫ ଜଣ ମାଓବାଦୀ ସିକୁରିଟି ଗାର୍ଡ ସମେତ ଅନ୍ୟ କର୍ମଚାରୀଙ୍କୁ ଗେଟ ପାଖରେ ରଖି ସେମାନଙ୍କଠାରୁ ମୋବାଇଲ ନେଇଯିବା ପରେ ଅନ୍ୟ ମାଓବାଦୀ ମାନେ କ୍ରସରରେ ଥିବା ମେସିନ ଗୁଡିକୁ ନିଆଁ ଲଗାଇଦେଇଥିଲେ ଓ ଯିବା ସମୟରେ ପୋଷ୍ଟର ଛାଡି ଯାଇଛନ୍ତି । କ୍ରସର ଦ୍ୱାରା ପରିବେଶ ପ୍ରଦୂଷଣ ସହ ଚାଷ କ୍ଷତି, ଭାରିଯାନ ଯାତାୟତ ଯୋଗୁଁ ରାସ୍ତା ନଷ୍ଟ, ପଥର ବ୍ଲଷ୍ଟିଂ ଯୋଗୁଁ ପିଲାଙ୍କ ଶ୍ରବଣ ଶକ୍ତି ନଷ୍ଟ ହେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଏହା ବଂଶଧାରା- ଘୁମୁସର – ନଗାବଳୀ(ବାଘୁନା) ଡିଭିଜନ ତରଫରୁ କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଖବର ପାଇ ମୁନିଗୁଡା ପୋଲିସ ଓ ସିଆରପିଏଫ ଯବାନ ପହଂଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ମାଓବାଦୀଙ୍କ ଏହି ଲଙ୍କାକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।