ସୁସ୍ଥ ପରିବେଶ ସୁସ୍ଥ ସମାଜ

ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ ଢେଙ୍କାନାଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ(ଆଇୱା) ତରଫରୁ ଢେଙ୍କାନାଳ ଜିଲ୍ଲା, ସଦର ବ୍ଲକ ଅନ୍ତର୍ଗତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳୀଠାରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି |ସପ୍ତଶଯ୍ୟା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ଅଟେ |ଏଠାକୁ ପ୍ରତ୍ୟେକ ଦିନ ଅନେକ ପର୍ଯ୍ୟଟକ ବୁଲିବା ଏବଂ ବଣଭୋଜି କରିବା ଉଦ୍ଦେଶ୍ୟରେ ଆସିଥାନ୍ତି |ବଣଭୋଜି ସାରିବା ପରେ ଖଲି, ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଗ୍ଲାସ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ବହି ଯାଉଥିବା ଝରଣା ଏବଂ ପର୍ଯ୍ୟଟନ ସ୍ଥଳୀର ଏଣେତେଣେ ଫୋପାଡିଦେଇ ଆସୁଛନ୍ତି |ଏହାଦ୍ୱାରା ସେହି ପ୍ରାକୃତିକ ପରିବେଶଟିର ସୌନ୍ଦର୍ଯ୍ୟ ଏବଂ ନମନୀୟତା ହ୍ରାସ ପାଇବାରେ ଲାଗିଛି |ଏହି ତଥ୍ୟକୁ ସେଠାକୁ କିଛିଦିନ ତଳେ ବୁଲିବାକୁ ଯାଇଥିବା ଆଇୱା, ଢେଙ୍କାନାଳର କର୍ମକର୍ତ୍ତାମାନେ ହୃଦୟଙ୍ଗମ କରିଥିଲେ |ଏଣୁ ଏହି ପ୍ରାକୃତିକ ପରିବେଶକୁ ପ୍ଲାଷ୍ଟିକ ଏବଂ ଆବର୍ଜନା ମୁକ୍ତ କରିବା ପାଇଁ ସପ୍ତଶଯ୍ୟା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ଅଭିମନ୍ୟୁ ବେହେରାଙ୍କୁ ଭେଟିଥିଲେ |ସରପଞ୍ଚ ବେହେରାଙ୍କ ସହାୟତାରେ ଆଇୱାର କର୍ମକର୍ତ୍ତାମାନେ ଏକ ନିରନ୍ତର ସଫେଇ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିଶୃତିବଦ୍ଧ ହୋଇଛନ୍ତି |ଏହି କାର୍ଯ୍ୟକ୍ରମରେ ଆଇୱାର କର୍ମକର୍ତ୍ତାଙ୍କ ସହ ସପ୍ତଶଯ୍ୟାର କିଛି ସ୍ବେଚ୍ଛାସେବୀ ଯୁବକ,ସରପଞ୍ଚ,ଏମ୍ . ବି. କେ., ସି. ଆର . ପି ଯୋଗ ଦେଇଥିଲେ|କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ମୃତକ ମାନଙ୍କର ଆତ୍ମାର ସଦଗତି ଏବଂ ଆହତ ମାନଙ୍କର ଶ୍ରୀଘ୍ର ସୁସ୍ଥତା କାମନା କରି ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା |