ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ର ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ l ଏହି ଟାଉନ ରେ ବହୁ ଵିଧି ସମସ୍ୟା ରହିଛି, ସେଥି ମଧ୍ୟରେ ବାଲିଗୁଡା ଉପ ଡାକଘର ରେ ଆଜକୁ ଦୀର୍ଘ ଦିନ ହେଲା ଅଭାବ, ଅସୁବିଧା ଓ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରି ଚାଲିଛି l ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଉପଖଣ୍ଡ ସଦର ମହକୁମାର ନିର୍ଭର ଯୋଗ୍ୟ ଡାକଘର କହିଲେ ସ୍ଵାଧୀନତା ପରବର୍ତ୍ତୀ ସମୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଡାକଘରକୁ ହିଁ ବୁଝାଏ। ଏହି ଉପ ଡାକଘରେ ଦୀର୍ଘ ଦିନ ଧରି ଅବ୍ୟବସ୍ଥା ଓ ଅଚଳାବସ୍ଥା ଯୋଗୁଁ ଶହଶହ ଗ୍ରାହକ ଦୂରଦୂରାନ୍ତରୁ ଆସି ହନ୍ତସନ୍ତ ହେଉଛନ୍ତି। ଦୀର୍ଘ ମାସ ଧରି ପ୍ରିଣ୍ଟର ଅଚଳ। ଏକମାତ୍ର ଭରସା ନୂଆସାହି ଉପ ଡାକଘରର ଅଧା ଝାପ୍ସା ଦେଖା ଯାଉଥିବା ପ୍ରିଣ୍ଟର । ଲିଙ୍କ୍ ଫେଲ୍ ଅଭିଯୋଗ ଚିରାଚରିତ ପୁଣି ଦେହସୁହା ହୋଇଗଲାଣି । ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡର ହୋଇ ମରାମତି ହୋଇ ଆଧୁନିକୀକରଣ କଥା କହିଲେ କୁଳ କୁଟୁମ୍ବକୁ ଲାଜ। ଏଠାରେ ଏକାଉଣ୍ଟ୍ ଧାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ମିଛ ନୁହେଁ। ଏଠାରେ ଘରୋଇ କୋରିୟର ଷ୍ଟେସନ ନାହିଁ । ଚିଠି ପତ୍ର ଅତ୍ୟାବଶ୍ୟକୀୟ ସାମଗ୍ରୀ ଜରୁରୀ ଚିଠି ପତ୍ର ନିର୍ଦ୍ଧାରିତ ସମୟରେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପାରେ ନାହିଁ । ଯେଉଁ କେତେକ କର୍ମଚାରୀ ଅଛନ୍ତି, ସେମାନେ ଗ୍ରାହକ ତଥା ଜନସାଧାରଣ ଙ୍କୁ ଏସବୁର ସଠିକ ଉତ୍ତର ନଦେଇ ସେମାନଙ୍କୁ ଅସଜୋନ୍ୟ ବ୍ୟବହାର କରୁଥିବା ବହୁ ଅଭିଯୋଗ ରହିଛି l ଏ ସମ୍ପର୍କ ରେ ସ୍ଥାନୀୟ ଅଧିକାରୀ ତଥା ଫୁଲବାଣୀ ଓ ବ୍ରହ୍ମପୁର ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଦ୍ୟାବଧି ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ l ଏଣୁ କେନ୍ଦ୍ର ସରକାରଙ୍କ ସୁଯୋଗ୍ୟ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ମାମଲାରେ ଯଥାଶୀଘ୍ର ହସ୍ତକ୍ଷେପ କରି ବାଲିଗୁଡ଼ା ଡାକଘରକୁ ଏକ ଆଦର୍ଶ ମୁଖ୍ୟ ଡାକଘର ମାନ୍ୟତା ଦେଇ ନୂତନ ଆକର୍ଷଣୀୟ କୋଠା ନିର୍ମାଣ କରିବା ସକାଶେ ପାଣ୍ଠିର ପ୍ରାବଧାନ କରିବାକୁ ସମାଜର ସବୁ ସ୍ତରରୁ ଅନୁରୋଧ କରାଯାଉଛି। ଏହା ଏକ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ କେନ୍ଦ୍ରିୟ ସୁରକ୍ଷା ବଳର ଏକ ମୁଖ୍ୟ କ୍ୟାମ୍ପ ମଧ୍ୟ ରହିଛି। ଏଣୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଏହି ଡାକଘରେ ଥିବା ଅଭାବ, ଅସୁବିଧା ଓ ସମସ୍ୟା ସୁଧାରିବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବୀ ହେଉଛି ।