ରୋଜଗାର କ୍ଷମ ହେବାକୁ ଯାଇ ଶବ ହୋଇ ଫେରିଲେ ଯୁବତୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ରେ ଦାଦନ ଦୁଃଖ ସରୁନି, ଏପରି ଏକ ଖବର ଆସିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରୁ l ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତର ବୁର୍ଲୁବାରୁ ଗ୍ରାମର ଜଣେ କୁଟିଆକନ୍ଧ ଆଦିମ ଜନଜାତି ଯୁବତୀ ପର ରାଇଜରେ ଦାଦନ ଖଟିବାକୁ ଯାଇ ମଙ୍ଗଳବାର ଦିନ ଶବ ହୋଇ ଫେରିଛନ୍ତି ଗାଁ କୁ l ବୁର୍ଲୁବାରୁ ଗ୍ରାମର କାଣ୍ଡାମା ଜାନି ଙ୍କ ଝିଅ ମାମା ଜାନି, ବୟସ ୨୨ ବର୍ଷ l ଗରିବ ପରିବାର ନିଜ ବାପ ମା ଙ୍କୁ ଦି ପଇସା ରୋଜଗାର କରି ପରିବାର ଚଳଣିରେ ସହଯୋଗ କରିବା ଆଶା ନେଇ ତାମିଲନାଡୁ ରାଜ୍ୟର ବାଙ୍ଗାଲୋର ସହର କୁ ଦାଦନ ଖଟିବାକୁ ଯାଇଥିଲେ l ବାଙ୍ଗାଲୋର ସହରର ସାଇ ଏକ୍ସପୋର୍ଟ ନାମକ କମ୍ପାନୀରେ ୧୪ ନମ୍ବର ୟୁନିଟ ରେ କାର୍ଯ୍ୟ କରିଆସୁଥିଲେ l କୌଣସି ଏକ ରୋଗରେ ପୀଡ଼ିତ ହୋଇ ସେ ବାଙ୍ଗାଲୋର ସହରର ସନ୍ଧ୍ୟାଂଶୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ l କିନ୍ତୁ ଚଳିତ ମାସ ଗତ ୧୦ ତାରିଖରେ ଦିନ ୧୧ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ତଥ୍ୟରୁ ଜଣାପଡିଛି l ଏହା ପରେ ଅସହାୟ ନିରକ୍ଷର ପିତା ବ୍ଲକ ପ୍ରଶାସନର ଦ୍ୱାରସ୍ତ ହୋଇ ବିଫଳ ହେବା ପରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କୁ ଝିଅର ଶବ ଆଣିଦେବାକୁ ଗୁହାରି କରିଥିଲେ l ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଉଦ୍ୟମରେ ଆଜି ବିମାନ ଯୋଗେ ମାମା ଜାନିଙ୍କ ଶବ ଭୁବନେଶ୍ୱର ଅଣାଯିବା ପରେ ଶବ ବୁହା ଯାନରେ ବେଲଘର ବୁର୍ଲୁବାରୁ ଗାଁରେ ପହଁଚିଛି l ଏହି ଅବସରରେ ବେଲଘର ସରପଞ୍ଚ ଗୋବିନ୍ଦ ମାଝୀ, ଗୁମା ସରପଞ୍ଚ ସଂଜୁ ମଲ୍ଲିକ, ବେଲଘର ପଞ୍ଚାୟତ ଭା. ଜ. ପା ସଭାପତି ଗଙ୍ଗାଧର ଗରଡ଼ିଆ, ତୁମୁଡିବନ୍ଧ ଭା ଜ ପା ଯୁବ ସଭାପତି ଶଙ୍କର ବଡ଼ନାୟକ ଓ ବହୁ ଭା ଜ ପା କର୍ମୀ ଉପସ୍ଥିତ ଥିଲେ l ତେବେ ରାଜ୍ୟ ସରକାରଙ୍କ ସଭିଙ୍କୁ କାମ ସଭିଙ୍କୁ ରୋଜଗାର, ମହିଳା ସଶକ୍ତିକରଣ, ମିଶନ ଶକ୍ତି ଭଳି ଯୋଜନା ପ୍ରଣୟନ ତଥା ଆଦିମ ଜନଜାତି ଙ୍କ ସ୍ୱତନ୍ତ୍ର ଓ ସର୍ବାଙ୍ଗୀନ ବିକାଶ ନିମନ୍ତେ ବେଲଘରରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଥାଇ ମଧ୍ୟ ଏହି ଅଞ୍ଚଳରୁ ଦାଦନ ଦୁଃଖ କେବେ ସରିବ ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ସରକାରଙ୍କୁ ଆକ୍ଷେପ କରି ପ୍ରତିକ୍ରିୟା ଦେଇଛନ୍ତି l