ରାୟଗଡ/ରାମନାଗୁଡା:-୧/୧୧-ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ସ୍ଥିତ ପ୍ରାଣୀ ଚିକିତ୍ସାଳୟ ପରିସରରେ ରାୟଗଡ ଜିଲ୍ଲା ସ୍ତରୀୟ ୭୧ ତମ ଗୋସମ୍ବର୍ଧନା ସପ୍ତାହର ଉଜ୍ଜାପନୀ ସମାରୋହ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଆୟୋଜିତ ହୋଇଯାଇଛି ।ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ହାଡିବନ୍ଧୁ ଭୋଇଙ୍କର ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କର ମାନ୍ୟବର ଆଇନ , ଆଦିବାସି ହରିଜନ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଗୋପାଳକମାନଙ୍କୁ ବିଭାଗ ତରଫରୁ ଯୋଗାଇ ଦିଆଯାଉଥିବା ସରକାରୀ ଯୋଜନା ଗୁଡିକର ସୁବିଧା ନେଇ ନିଜ ଆୟକୁ ଦୁଇ ରୁ ତିନି ଗୁଣକୁ ବୃଦ୍ଧି କରିବା ପାଇଁ ଆହ୍ବାନ ଦେଇଥିଲେ । ସଭାପତି ଅଭିଭାଷଣରେ ଡାକ୍ତର ହାଡିବନ୍ଧୁ ଭୋଇ ଗୋସମ୍ବର୍ଦ୍ଧନାର ଉଦ୍ଦେଶ୍ୟ ବଖାଣିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରବର୍ତ୍ତିତ ଜାତୀୟ କୃତ୍ରିମ ପ୍ରଜନନ ଯୋଜନା, ଲିଙ୍ଗ ନିରୂପିତ ଶୁକ୍ରାଣୁର ବ୍ୟବହାର , ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ପ୍ରାଣୀ ବୀମା ଯୋଜନା, ଗୋଖାଦ୍ୟ ଖର୍ଚ୍ଚ କମାଇବା ପାଇଁ ଘାସ ଚାଷ ପାଇଁ ସରକାରଙ୍କ ପ୍ରୋତ୍ସାହନ , ରାଜ୍ୟ ଯୋଜନା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା , ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା , କିଷାନ କ୍ରେଡିଟ କାର୍ଡ, କୃଷକ ପୋର୍ଟାଲ ଏବଂ ସଫଳ ପୋର୍ଟାଲ ଉପରେ ଅବଧାରଣା କରିଥିଲେ । ଏହିସବୁ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଚାଷୀମାନଙ୍କ ଆୟ ଦୁଇଗୁଣରୁ ତିନିଗୁଣତାକୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ ,ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ନିଜ ବିଧାନସଭାମଣ୍ଡଳୀର ସମସ୍ତ ଗୋପାଳକ ମାନଙ୍କୁ ଗୋପାଳନର ଲାଭ, ଉନ୍ନତ ଜ୍ଞାନ କୌଶଳର ବ୍ୟବହାର ଏବଂ ଗୋଚର ଜମିର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ଜିଲ୍ଲାର ଚାଷୀମାନଙ୍କୁ ଉଦ୍ବୋଧନଦେଇ ଜିଲ୍ଲାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର କାର୍ଯ୍ୟକ୍ରମଗୁଡିକର ପ୍ରଶଂସା କରିଥିଲେ ।ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ଗୋପଳକ ମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା , ଚାଷୀଙ୍କ ଦ୍ୱିଗୁଣିତ ଆୟ କରିବା ସକାଶେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଭୂମିକା ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ଅବଗତ କରାଇବା ନିମନ୍ତେ ପରାମର୍ଶ ଦେଇଥିଲେ ।ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ଶଙ୍କର ଗମାଙ୍ଗ ଗୋପାଳକଙ୍କୁ ନିଜ ଗ୍ରାମର ଚାରଣ ଭୂମିର ପୁନ୍ନରୁଦ୍ଧାର , ୬ଟିରୁ ଅଧିକ ଗାଇ ଗୋରୁ ରଖିଥିବା ଜବକାର୍ଡଧାରୀ ଚାଷୀମାନଙ୍କୁ ମନରେଗା ଯୋଜନାରେ ଗୁହାଳ ଘର ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ରାମନାଗୁଡ଼ା ବ୍ଲକରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଅନୁଷ୍ଠିତ ହେଉଥିବା ଚାଷୀ ବୈଜ୍ଞାନିକ ମତ ବିନିମୟ କାର୍ଯ୍ୟକ୍ରମ ଗୋପାଳକମାନଙ୍କ ପାଇଁ ବହୁତ ସହାୟକ ହେବ ବୋଲି ମତ ରଖିଥିଲେ । ମୁଖ୍ୟ ଅତିଥି ଜିଲ୍ଲାର ୬ଜଣ ଅଗ୍ରଣୀ ଗୋପାଳକ ଚାଷୀ ରାମନାଗୁଡ଼ାର ଗୋପୀନାଥ ପଣ୍ଡା , ପଦ୍ମପୁରର ଶ୍ରୀଯୁକ୍ତ ଗୋବିନ୍ଦ ସାହୁ, ଗୁଡାରି ର ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦେଓ , ଗୁଣୁପୁର ର ଶ୍ରୀଯୁକ୍ତ ଦାସାରି ବୈରାଗୀ , କୋଲନରାର ଶ୍ରୀମତୀ ଏମ ରାଜ୍ୟଲକ୍ଷ୍ମୀ , କଲ୍ୟାଣ୍ସିଂହପୁରର ମକର.ଧ୍ବଜ ନିମଲପୁରୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ / ଏହି ଉପଲକ୍ଷେ ଦୁଇଟି ଗୋମାତାଙ୍କ ପୂଜା ସହ ବିଭାଗୀୟ କାର୍ଯ୍ୟକ୍ରମଗୁଡିକର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।
ଚାଷୀ ବୈଜ୍ଞାନିକ ମତବିନିମୟ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଜେନା, ଗୁଣୁପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମରାଓ ପାଲ , ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନରେଶ ଚନ୍ଦ୍ର ଜେନା , ରାୟଗଡ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ କୁମାର ବେହେରା ଏବଂ ରାୟଗଡ ଚିକିତ୍ସାଲୟ ଉପନିର୍ଦ୍ଦେଶକ ଡାକ୍ତର ବିରଞ୍ଚି ନାରାୟଣ ମିଶ୍ର ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।ସଫଳ ଚାଷୀ ଶ୍ରୀଯୁକ୍ତ ଗୋପୀନାଥ ପଣ୍ଡା, ଶ୍ରୀଯୁକ୍ତ ଗୋବିନ୍ଦ ସେନାପତି ଗୋପାଳନ ସହ ନିଜ ଅନୁଭୂତି ବର୍ଣନା କରି ଚାଷୀମାନଙ୍କୁ ଗୋପାଳନ ପ୍ରତି ଆଗ୍ରହୀ ହେବାକୁ ଉତ୍ସାହିତ କରିଥିଲେ ଶେଷରେ ରାମନାଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କୃଷ୍ଣାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡାକ୍ତର ଚାମ୍ପେଶ୍ୱର ଭର୍ତ୍ତିଆ ପରିଚାଳନା କରିଥିଲେ।
ଏଠାରେ ଉଲ୍ଲେଖ ଯେ ଅକ୍ଟବର ୨୬ ତାରିଖଠାରୁ ଚାଲିଥିବା ଗୋସମ୍ବର୍ଦ୍ଧନା ସପ୍ତାହ ମଧ୍ୟରେ ପଦ୍ମପୁର ବ୍ଲକ ର ରାୟାଲେପଦର, ବିଷମକଟକ ବ୍ଲକ ର ପାଇକଡ଼ାକୁଳଗୁଡା , କଲ୍ୟାଣ୍ସିଂହପୁରର ମାଝୀଗୁଡା ଏବଂ କୋଳନରାର ତାଣ୍ଡିପୁର ଗ୍ରାମରେ ମେଗା ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରାଯାଇ ୫୮୨ଟି ଗାଈଗୋରୁଙ୍କୁ ଉନ୍ନତ ବିଶେଷଜ୍ଞଚିକିତ୍ସା ସେବା ପ୍ରଦାନ କରାଯାଇଥିଲା । ଅଞ୍ଚଳର ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହଯୋଗ କରିଥଲେ ।