ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପରିସରରେ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଟିକାବାଲି ସମିତି ଅଧ୍ୟକ୍ଷ ଦିଲ୍ଲୀପ କହଁରଙ୍କ ସମେତ ସମସ୍ତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ତଥା ବରିଷ୍ଠ କାର୍ଯ୍ୟ ଅଧିକାରୀ ଭାବେ ବାଲିଗୁଡା ପିଏ ଆଇଟି ଡିଏ ମଧୁସୂଦନ ବେହେରା ଉପସ୍ଥିତ ଥିଲେ। ଟିକାବାଲି ବ୍ଲକର ସମସ୍ତ ୧୧ଟି ପଞ୍ଚାୟତରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ଠାରୁ ମନରେଗା ସମେତ ସମସ୍ତ ଯୋଜନାର କାର୍ଯ୍ୟ ବିବରଣୀ ଓ ଯୋଜନା ଗୁଡିକର ସମସ୍ୟା ଉପସ୍ଥାପନା କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ବ୍ଲକରେ ଥିବା ବିଭିନ୍ନ ଲାଇନ ବିଭାଗ ଯଥା, ମୃତ୍ତିକା ସଂରକ୍ଷଣ ଓ ଜଳ ଛାୟା, ବନବିଭାଗ, ଉଦ୍ୟାନ ବିଭାଗ ମାନେ ନିଜ ନିଜର ମନରେଗା କାର୍ଯ୍ୟ ଓ ନିଜ ନିଜର ଯୋଜନା ଏବଂ ତାହାର ସମସ୍ୟା ବିଷୟରେ ଉପସ୍ଥାପନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶେଷ କରି ବ୍ଲକର ବିଭିନ୍ନ ପଞ୍ଚାୟତରୁ ସମସ୍ୟା ଯଥା ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ମଧ୍ୟ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ବ୍ଲକ ସାରାର ୪୬ ଟି କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବା ଜିଲ୍ଲା ସାମାଜିକ ସମୀକ୍ଷକ ଘୋଷଣା କରିଥିଲେ। ସେହି ଅନିୟମିତତା ଭିତରେ ପ୍ରାୟ ଅଧିକାଂଶ ବିନା ସୂଚନା ଫଳକରେ କାର୍ଯ୍ୟ କରାଯାଇଛି, ଏପରିକି ସୂଚନା ଫଳକ ନିର୍ମାଣ ନକରି ନିର୍ମାଣ କରାଯାଇଥିବା କହି ଟଙ୍କା ଉଠାଇଥିବା ମଧ୍ୟ ସାମ୍ନାକୁ ଆସିଛି। ତେଣୁ ସେହି ନିର୍ମାଣ ବାବଦକୁ ନେଇଥିବା ଟଙ୍କା ସହିତ ଆଉ ଅନିୟମିତତା ବାବଦକୁ ଫାଇନ ଆଦାୟ କରାଯିବା ପାଇଁ ଘୋଷଣା କରାଯାଇଛି। ଏହି ବାବଦରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ କଠୋର ପଦକ୍ଷେପ ନେବାକୁ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପିଏ ଆଇଟିଡିଏ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନ ସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ତାହାର କାର୍ଯ୍ୟକାରିତା ସମ୍ପର୍କରେ ବୁଝାଇବା ସଙ୍ଗେ ସଙ୍ଗେ ଜନ ଶୁଣାଣିର ମହତ୍ୱ ବିଷୟରେ ମଧ୍ୟ ବୁଝାଇ ଏହି ଜନ ଶୁଣାଣିରେ ଆସିଥିବା ଅଭିଯୋଗ ଗୁଡିକୁ ଯଥାଶୀଘ୍ର ଏହି ୩ ରୁ ୪ ସପ୍ତାହ ମଧ୍ୟରେ ସମାଧାନ କରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସମୀକ୍ଷା ମୁଖ୍ୟ ଦୁଃଶାସନ ସିଂ ପରିଚାଳନା କରିଥିବା ବେଳେ କାର୍ୟ୍ୟକ୍ରମରେ ସ୍ଥାନୀୟ ନବ ନିର୍ବାଚିତ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲ୍ଲୀପ କହଁର, ବିଡ଼ିଓ ଫକୀର ଚରଣ ପରିଡା, ଏପିଓ ଅନୁରାଧା ମଲିକ, ଓଡିଶା ଜୀବିକା ମିଶନ ବ୍ଲକ ପରିଚାଳକ ଭାଗିରଥି ପୃଷ୍ଟି, ସମସ୍ତ ୧୧ଟି ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ମନରେଗା ବିଭାଗ ମୁଖ୍ୟ ତଦାରଖ ଅଧିକାରୀ ତପନ କୁମାର ପାତ୍ର, ବ୍ଲକ ସାମାଜିକ ସମୀକ୍ଷକ ପ୍ରଫୁଲ ପ୍ରଧାନ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଶେଷରେ ଟିକାବାଲି ଓଡ଼ିଶା ଜୀବିକା ମିଶନ ପରିଚାଳକ ଭାଗିରଥି ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ ଜନ ଶୁଣାଣିକୁ ସାଙ୍ଗ ଘୋଷଣା କରିଥିଲେ