ଭୋଟର ସଚେତନ ହେଲେ ରାୟଗଡ଼ ମହିଳା ମହାବିଦ୍ୟାଳୟର ଛାତ୍ରୀ ବୃନ୍ଦ ନିଜ ଭୋଟର ପରିଚୟ ପତ୍ର ସହ ଆଧାର କୁ କଲେ ସଂଯୋଗ

ରାୟଗଡ଼,୧୭/୦୮(ପ୍ରଫୁଲ୍ଲ କୁମାର ବେହେରା):ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସଭାଗୃହରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ରାୟଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀ ଭୀମସେନ ଶବର ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ଅର୍ଥନୀତି ଅଧ୍ୟାପକ ଦେବେଶ କୁମାର ମିଶ୍ର, ଏନ ଏସ ଏସ ସଞ୍ଜୋଜିକା ସୁଶୀ କରୁଣା କେରେକେଟ୍ଟା, ଅଧ୍ୟାପିକା ପ୍ରତିମା ପଣ୍ଡା ଓ ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ରାୟଗଡ଼ ପୌର ପାଳିକାର ନିର୍ବାଚନ ସହାୟକ ଚନ୍ଦ୍ର ଶେଖର ରଥ, ବୁଥ ଅଧିକାରୀ ବି କଲ୍ୟାଣୀ ଓ ଏ ଅରୁଣା, ମହାବିଦ୍ୟାଳୟ ପ୍ରାଧ୍ୟାପିକା , ପ୍ରାଧ୍ୟାପକ ବୃନ୍ଦ ,ଓ ତିନି ଶହରୁ ଅଧିକ ଛାତ୍ରୀ ଯୋଗ ଦେଇଥିଲେ । ବ୍ୟାନର ଓ ପୋଷ୍ଟରମାନ ପ୍ରଦର୍ଶିତ କରାଯାଇଥିଲା ।

ପ୍ରାରମ୍ଭରେ ମାଁ ମଝିଘରିଆଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଵଳନ କରି ଶିବିରର ପ୍ରାରମ୍ଭ କରାଯାଇଥିଲା । ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ ଶିବିରର ଉଦେଶ୍ୟ ଜ୍ଞାପନ କରିବା ସହ ଜାତୀୟ ମତଦାତା ଦିବସ, ମତଦାତା ସଚେତନତା ଆଦି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଏନ ଏସ ଏସ ଶାଖାର ଭୂମିକା ଉପରେ ଆଲୋକପାତ କରିଥିଲେ । ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀ ଶବର ପିଲାଙ୍କ ଭବିଷ୍ୟତ ଜୀବନ ଗଠନ, ନାଗିରକତ୍ଵ, ସମ୍ବିଧାନରେ ଧାରା ୩୨୪ ରେ ବ୍ୟବସ୍ଥା, ଜନ ପ୍ରତିନିଧିତ୍ଵ ଧାରା ୧୯୫୦ ଓ ୧୯୫୧ ତଥା ଭୋଟର ତାଲିକା ପଞ୍ଜୀକରଣ ନିୟମ ୧୯୬୦ ର ବ୍ୟବସ୍ଥା ଓ ଏଥିରେ ହୋଇଥିବା ସଂଶୋଧନ ବିଷୟରେ ଆଲୋଚନା କରିଥିଲେ । ବର୍ତ୍ତମାନ ବର୍ଷର ପ୍ରତି ଜାନୁଆରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସ ୧ ତାରିଖ ସୁଦ୍ଧା ଯେଉଁ ମାନଙ୍କର ବୟସ ଅଠର ବର୍ଷ ପୂର୍ଣ୍ଣ ହେଲେ ସେମାନେ ଭୋଟର ତାଲିକା ରେ ନିଜ ନାମ ଅନ୍ତର୍ଭୁକ୍ତ ନିମନ୍ତେ ଯୋଗ୍ୟ ହେବେ ଓ ନିଜ ଘରେ ବସି ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରି ଡାକଯୋଗେ ଭୋଟର କାର୍ଡ ପ୍ରାପ୍ତ କରିପାରିବେ ବୋଲି ଅବଗତ କରିଥିଲେ । ନିଜ ଛାତ୍ରୀ ଜୀବନରେ ସଫଳ ହେବା ନିମନ୍ତେ କେତେକ ଆଦର୍ଶ ଜ୍ଞାନ ଓ କୌଶଳ ପ୍ରଦାନ କରିଥିଲେ । ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଭୋଟ ଦାନ ଅଧିକାର, ନାମ ପଞ୍ଜୀକରଣ ନିମନ୍ତେ ଆବଶ୍ୟକ ଫର୍ମ ଓ ଦସ୍ତାବିଜ ସହ ଭୋଟର ହେଲ୍ପ ଲାଇନ ଓ ଏନ ଭି ଏସ ପି ଆପର ବ୍ୟବହାର , ସହ କିଭଳି ଭାବେ ନିଜର , ନିଜ ପରିବାରବର୍ଗଙ୍କ ଓ ପଡୋଶୀଙ୍କ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗ କୌଶଳ ବର୍ଣ୍ଣନା କରିଥିଲେ । ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଭୋଟର-ଛାତ୍ରୀ ବୁଥ ସ୍ତରୀୟ ଅଧିକାରୀଙ୍କ ସହାୟତାରେ ନିଜ ନିଜର ଭୋଟର ନମ୍ବର ସହ ଆଧାର ନମ୍ବରର ସଂଯୋଗ କରିଥିଲେ । ଶେଷରେ ଉପଜିଲ୍ଲାପାଳ କେତୋଟି ଭୋଟର ସମ୍ବନ୍ଧୀୟ ସରଳ ପ୍ରଶ୍ନର ଉତ୍ତର ପିଲାଙ୍କ ଠାରୁ ଆଦାୟ କରିଥିଲେ । ଅଧ୍ୟାପିକା ପ୍ରତିମା ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ବୈଠକ ପରିଚାଳନା କରିଥିଲେ ଓ ଶ୍ରୀ ଦେବେଶ କୁମାର ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।