ଦିବ୍ୟ ଚେତନା ରଥ ପରିକ୍ରମା ହିନ୍ଦୁ ଧର୍ମ ସୁରକ୍ଷା ନେଇ ସନ୍ଥ ମେଳି

କାଳୁପଡ଼ା ଘାଟ:-୨୫/୩(ବିନୁ ଦାସ୍):-ହିନ୍ଦୁ ଧର୍ମର ରକ୍ଷା ପାଈଁ ଦିବ୍ୟ ଚେତନା ରଥ ପରିକ୍ରମା କାର୍ଯ୍ୟକ୍ରମ । ସ୍ୱାମୀ ଶଙ୍କରାନନ୍ଦ ଗିରି ଅଧ୍ୟକ୍ଷ ଅଖିଳ ଭାରତ ସନ୍ଥ ସମିତି ଓଡିଶା ଙ୍କର ନେତୃତ୍ୱରେ ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ ଏହି ଯାତ୍ରା ଚଳିତ ମାସ ୯ ତାରିଖରୁ ବାଲେଶ୍ବର ରୁ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖରେ ବ୍ରହ୍ମପୁର ସ୍ଥିତ ମା’ ଭୈରବୀ ନିକଟରେ ସମାପନ ହେବ । ଆଖିଳ ଭାରତୀୟ ସନ୍ଥ ସମିତି ଏବଂ ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ସାରା ଓଡ଼ିଶାର ପୁରପଲ୍ଲୀରେ ଅନୁଷ୍ଠିତ କରାଯାଉଛି ।

ଓଡ଼ିଶାର କୋଣ ଅନୁକୋଣରେ ଥିବା ବିଭିନ୍ନ ସାଧୁ-ସନ୍ଥମାନେ ଏଥିରେ ସାମିଲ ହୋଇଛନ୍ତି । ହିନ୍ଦୁ ଧର୍ମର ରକ୍ଷା , ଲୋକଙ୍କ ମନରେ ଧର୍ମୀୟ ଭାବନା , ଗୋ-ଧନ ରକ୍ଷା କରିବା , ଅପକର୍ମ ଏବଂ ଅପ-ସଂସ୍କୃତି ରୁ ସତ୍-ମାର୍ଗ କୁ ଆସିବା ପାଇଁ କ’ଣ କରାଯିବା ଦରକାର ସେନେଇ ଦିବ୍ୟ ଚେତନା ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ । ଓଡିଶା ଏବଂ ଓଡିଶା ବାହାର ର ଶତାଧିକ ସାଧୁ-ସନ୍ଥମାନେ ଏଥିରେ ସାମିଲ ହୋଇଥିଲେ । ଏକ ବଡ଼ ଶୋଭାଯାତ୍ରାରେ ଘଣ୍ଟ ମୃଦଙ୍ଗ ର ତାଳେ ତାଳେ କାଳୁପଡ଼ା ଘାଟ ବଜାର ପରିକ୍ରମା କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର କାଳୁପଡାଘାଟ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ଅନୁଷ୍ଠାନରେ ଏହି ସାଧୁ-ସନ୍ଥମାନେ ସ୍ଥାନୀୟ ଅଞ୍ଚଳର ଆବାଳବୃଦ୍ଧବନିତା ଙ୍କୁ ସଦବୁଦ୍ଧି ପ୍ରଦାନ କରିଥିଲେ । ଯେତେବେଳେ ଏହି ଦିବ୍ୟ ଚେତନା ରଥ ପରିକ୍ରମା କରୁଥାଏ ସେତେବେଳେ ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ ଏହି ସାଧୁ-ସନ୍ଥମାନଙ୍କୁ ଫୁଲ-ଚନ୍ଦନ ଅର୍ପଣ କରି , ଘଣ୍ଟ-ଘଣ୍ଟା କାହାଳୀ-ମୃଦଙ୍ଗ , ଝାଞ୍ଜ କୀର୍ତ୍ତନ ରେ ଆଧ୍ୟାତ୍ମିକ ପରିବେଶରେ ପୂଜାର୍ଚ୍ଚନା କରୁଥିଲେ ।ଏଭଳି ନିଆରା ଭକ୍ତି ପରିବେଷକୁ ଆୟୋଜନ କରିଥିଲେ ସ୍ଥାନୀୟ କାଳୁପଡ଼ା ଘାଟ ଅଞ୍ଚଳର ବିଶ୍ୱ ହିନ୍ଦୁ ପରିଷଦର ବହୁ କର୍ମୀ।