ଅସହାୟଙ୍କର ଦେବଦୂତ ସାଜିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଚିଲିକା:-୨୮/୧୦(ବିନୁ ଦାସ୍):-ତୁରନ୍ତ ଦୁଃଖ ବୁଝିଲେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଦୁଇ ଘଣ୍ଟାରେ ମଧ୍ୟରେ ଅସହାୟ ଅବସ୍ଥାରେ ପରିତକ୍ତ ଘରେ ପଡିଥିବା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଲେ । ଖୋରଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ହାଟ ବରଡି ଗ୍ରାମର ଗୁରୁ ବେହେରା ଗୁରୁତର ରୋଗରେ ପୀଡିତ ହୋଇ କୁହୁଡ଼ି ରେଳ ଷ୍ଟେସନ ନିକଟରେ ଥିବା ପରିତ୍ୟକ୍ତ ଗୃହରେ ଦୁଇପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଦୟନୀୟ ଅବସ୍ଥାରେ ଦୀର୍ଘ ଦିନ ଧରି ପଡି ରହିଥିଲେ । ଏ ସମ୍ପର୍କରେ ଖବର ପହଁଚିଲା ନବନିଯୁକ୍ତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ । ଜିଲ୍ଲାପାଳ ଖବର ପାଇବା ସଙ୍ଗେ ସଙ୍ଗେ ତୁରନ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ଚିଲିକା ବ୍ଲକ୍ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଘଟଣା ସ୍ଥଳରେ ଚିଲିକା ତହସିଲଦାର ପୁନମ୍ ମହାପାତ୍ର ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ରାତି ସାତ ଘଟିକା ସମୟରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ ।

ଏହାପରେ ଚିଲିକା ବିଡ଼ିଓଙ୍କ ସୁଷମା ବାରିକଙ୍କ ନିର୍ଦେଶ ମୁତାବକ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଫିସର ଜି.ସାଗର ଅର୍ଜୁନ ପାତ୍ର, ବାଲୁଗାଁ ମେଡିକାଲ ଅଫିସର ସୌମ୍ୟକାନ୍ତ ଦାସପଟ୍ଟନାୟକଙ୍କ ନିର୍ଦେଶରେ ଜରିପଡା ମେଡିକାଲ ହେଲଥ ସୁପରଭାଇଜର ସୁଶାନ୍ତ କୁମାର ରାଉତରାୟ, ଜରିପଡା ଅତିରିକ୍ତ ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ବେହେରା ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଗୁରୁ ବେହେରାଙ୍କ ନିକଟରେ ପହଞ୍ଚି ଉନ୍ନତ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ପଠାଇଥିଲେ । ଏଭଳି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସ୍ଥାନୀୟ ଜନସାଧାରଣ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କର ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି ଏବଂ ଏହି ମାନବ ସେବା ମାଧବ ସେବା ମନୋବୃତି ରଖି ସହଯୋଗ କରିଥିବା ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ଅଧିବାସୀ ସାଧୁବାଦ ଜଣାଇଛନ୍ତି।