ଲାଂଜିବେର୍ଣ୍ଣ। ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣୀ

ରାଜଗାଙ୍ଗପୁର, (ମନୋଜ କୁମାର ଭୋଳଙ୍କ ରିପୋର୍ଟ) ରାଜଗାଙ୍ଗପୁର ଏବଂ କୁତ୍ରା ବ୍ଲକ ଅନ୍ତର୍ଗତ କୁକୁଡ଼ା ଏବଂ ଅଲଣ୍ଡା ଗ୍ରାମ ପଂଚାୟତରେ ଜମିଅଧିଗ୍ରହଣ ସନ୍ଦର୍ଭରେ ଏକ ଜନଶୁଣାଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି l ସୁନ୍ଦରଗଡ଼ ଜିଲାପାଳ ଓସିଏଲ ଇଣ୍ଡିଆ ଲିମିଟେଡ଼ର ଲାଂଜିବେର୍ଣ୍ଣl ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ଅଲଣ୍ଡା ପଂଚାୟତରେ ୧୬୪.୮୨ ଏକର ତଥା କୁକୁଡ଼ା ପଂଚାୟତରେ ୧୬୨.୯୬ ଏକର ଜମି ଅଧିଗ୍ରହଣ ନିମନ୍ତେ ଜନଶୁଣାଣୀ ବୈଠକ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ପତ୍ର ଜାରି କରିଥିଲେ l ପୂର୍ବରୁ ଜମି ଅଧିଗ୍ରହଣର ପ୍ରଭାବ ଜାଣିବା ପାଇଁ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫୋର ଡେଭେଲପମେଣ୍ଟ ଷ୍ଟଡ଼ିଜ (ଏନସିଡ଼ିଏସ) ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ (ଏସଆଇଏ) ରିପୋର୍ଟ ପ୍ରଭାବିତ ପରିବାରଙ୍କ ଅବଗତି ପାଇଁ କୁକୁଡ଼ା ଏବଂ ଅଲଣ୍ଡା ସରପଞ୍ଚଙ୍କୁ ଦିଆଯାଇଥିଲା l ଏହି ରିପୋର୍ଟ ଉପରେ ପ୍ରଭାବିତ ପରିବାରବର୍ଗଙ୍କ ମତାମତ ଜାଣିବା ପାଇଁ ଆଜିର ଜନଶୁଣାଣୀ ବୈଠକର ଆୟୋଜନ ହୋଇଥିଲା l

ସୁନ୍ଦରଗଡ଼ ଉପଜିଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ରାଜଗାଙ୍ଗପୁର ତହସିଲଦାର ଶରତ କୁମାର ବାଗ, ଅତିରିକ୍ତ ତହସିଲଦାର ମନୋରଞ୍ଜନ ନାୟକ, ବ୍ଲକ ଉନ୍ନୟନ ଅଧିକାରୀ ପିୟୁଷ ଲୋହାର, ଅତିରିକ୍ତ ରକ୍ଷା ଅଧିକ୍ଷକ ସୁରେନ୍ଦ୍ର ମଝି , ସ୍ଥାନୀୟ ଏସ ଡି ପି ଓ ଶଶାଙ୍କ ଶେଖର ବେଉରା, ରାଜଗାଙ୍ଗପୁର କୁତ୍ରା ଥାନା ଅଧିକାରୀ, ତଥା ଅନ୍ୟାନ୍ୟ ଜିଲା ପ୍ରଶାସନ ଅଧିକାରୀ, ଅଧିଗ୍ରହଣ ପ୍ରଭାବିତ ଜନସାଧାରଣ, କମ୍ପାନୀ ପ୍ରତିନିଧି ଏବଂ ରାଜଗାଙ୍ଗପୁର ଓ କୁତ୍ରା ଥାନା ଅଧିକାରୀ ଏହି ବୈଠକ ପାଇଁ ଉପସ୍ଥିତ ଥିଲେ l ସ୍ଥାନୀୟ ବିଧାୟକ ଡ଼ ରାଜନ ଏକ୍କା ଅଲଣ୍ଡା ଜନଶୁଣାଣୀରେ ସକ୍ରିୟ ଭାଗ ନେଇଥିଲେ l କିଛି ଲୋକ ଜମି ଅଧିଗ୍ରହଣକୁ ସମର୍ଥନ କରିଥିବା ବେଳେ ଆଉକିଛି ଲୋକ ଏହାକୁ ବିରୋଧ କରି ନିଯୁକ୍ତି ଏବଂ ପରିପାର୍ଶ୍ଵିକ ବିକାଶ କରିବା ପାଇଁ ଦାବି ରଖିଥିଲେ l ଏଠାରେ ନିଜ ମତ ରଖିନପାରିଥିବା ଲୋକଙ୍କୁ ଲିଖିତ ଭାବରେ ମତାମତ ଜଣାଇବାପାଇଁ ଉପଜିଲ୍ଲାପାଳ କହିଥିଲେ l