ଟାଙ୍ଗୀ:-୦୫/୦୮(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଅଞ୍ଚଳର ରତନପୁର ଗ୍ରାମରେ ଏକ ସରକାରୀ ଦେଶୀ ମଦ ଦୋକାନ ଖୋଲିବା ନେଇ ତାତିଲେ ଗ୍ରାମବାସୀ। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ନିକଟସ୍ଥ ରତନପୁର ଗ୍ରାମରେ ସରକାରୀ ଦେଶୀ ମଦ ଦୋକାନ ଖୋଲା କୁ ନେଇ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଏନେଇ ଗ୍ରାମବାସୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ଆସି ଟାଙ୍ଗୀ ତହସିଲଦାର , ଅବକାରୀ ବିଭାଗ , ଥାନା ଏବଂ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଶୋଭାଯାତ୍ରାରେ ଗାଁର ସମସ୍ତ ମହିଳା-ପୁରୁଷ ଯୋଗ ଦେଇଥିଲେ ।
ସରକାରଙ୍କ ପ୍ରସ୍ତାବ ଅନୁସାରେ ଯେଉଁ ସ୍ଥାନରେ ଏହି ସରକାରୀ ଦେଶୀ ମଦ ଦୋକାନ ଖୋଲା ଯାଉଛି ତାହାର ଚତୁପାର୍ଶ୍ୱରେ ବିଭିନ୍ନ ସରକାରୀ ଅଫିସ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଜନବସତି ରହିଛି , ତେଣୁ ମଦ୍ୟପ ମାନଙ୍କର ଉତ୍ପାତ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ । ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀମାନେ ଏହାକୁ ବିରୋଧ କରିଛନ୍ତି । ଗ୍ରାମବାସୀ ମାନେ କହିଛନ୍ତି କି ସରକାର ଯେଉଁ ତାଳଡିହ ମୌଜାରେ ମଦ ଦୋକାନ ଖୋଲିବାକୁ ସ୍ଥିର କରିଛନ୍ତି,ସେହି ସ୍ଥାନରେ ଏକ ସରକାରୀ ଉଛ ବିଦ୍ୟାଳୟ , ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ପୋଷ୍ଟ ଅଫିସ, ସେବା ସମବାୟ ସମିତି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଡିଏଭି ସ୍କୁଲ, ସରକାରୀ ଡାକ୍ତରଖାନା, ପାଠାଗାର ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି।
କିନ୍ତୁ ଏଭଳି ସ୍ଥାନରେ ମଦ ଦୋକାନ ଖୋଲିବାକୁ ନେଇ ବିରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ।ତୁରନ୍ତ ଏ ଦିଗରେ ପ୍ରଶାସନ ତରଫରୁ ମଦ ଦୋକାନ ବନ୍ଦ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଶତାଧିକ ପୁରୁଷ ଏବଂ ମହିଳାମାନେ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଶାନ୍ତିପୂର୍ଣ୍ଣ ଭାବରେ ନିଜର ଦାବି ପତ୍ର ଦେବା ସହ ଆଗାମୀ ଦିନରେ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ନହେଲେ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।