ଗ୍ୟାଙ୍ଗଷ୍ଟର ହାଇଦରକୁ ଦିଆଗଲା କବର

କେନ୍ଦ୍ରାପଡ଼ା , ୨୫ା୭: ପୋଲିସ ଏନ୍‌କାଉଣ୍ଟରରେ ଶନିବାର ମୃତ୍ୟୁ ଘଟିଥିବା ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦରଙ୍କୁ କେନ୍ଦ୍ରାପଡ଼ା ସହରର ରଣପଡ଼ା କବରସ୍ଥାନରେ ରବିବାର ରାତିରେ କବର ଦିଆଯାଇଛି। ପୋଲିସ ବଳୟ ମଧ୍ୟରେ ଇସଲାମ ପରମ୍ପରା ଅନୁଯାୟୀ ଅନ୍ତିମ ସତ୍କାର ସମ୍ପନ୍ନ ହୋଇଛି। ହେଲେ ଆଇନଶୃଙ୍ଖଳା ପରିସ୍ଥିତି ଯେଭଳି ନ ଉପୁଜେ ସେଥିପାଇଁ ଜିଲା ପ୍ରଶାସନ ସଜାଗ ରହିଛି। ଏହି କ୍ରମରେ କେନ୍ଦ୍ରାପଡ଼ା ସହର ଓ ନିକଟସ୍ଥ ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧର ପଞ୍ଚାୟତରେ ଗତ ୨୪ ତାରିଖ ରାତି ୧୧ରୁ ଆସନ୍ତା ୩୦ ତାରିଖ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସିଆର୍‌ପିସିର ଧାରା ୧୪୪ ଲାଗୁ ହୋଇଛି।

୨୫ ତାରିଖ ସୋମବାରଠାରୁ ସ୍କୁଲ ଓ କଲେଜ ଖୋଲା ହେବାକୁ ଥିଲେ ମଧ୍ୟ ୧୪୪ ଧାରା ଲାଗୁ ହେବା ଯୋଗୁ ତାହା ବନ୍ଦ ରହିବ। ଆଇଜି ନରସିଂହ ଭୋଳ ଓ ଏସ୍‌ପି ମଡକର ସମ୍ବିତ ସମ୍ପଦଙ୍କ ନେତୃତ୍ୱରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି। ବିଶେଷକରି ହାଇଦରଙ୍କ ରଣପଡ଼ାସ୍ଥିତ ବାସଭବନ ଓ କବରସ୍ଥାନ ନିକଟସ୍ଥ ଗରାପୁର କୋର୍ଟ ଛକ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ରାସ୍ତାକୁ ସିଲ୍‌ କରାଯାଇଛି।