ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା, ମେ’ ୨୪ରୁ ଗାଁରେ ଘରକୁ ଘର ସର୍ଭେ ସହ ମୃତକଙ୍କ ପରିବାରକୁ ମିଳିବ ପେନସନ୍‌ ସହ ଜାଣନ୍ତୁ ଆଉ କ’ଣ କ’ଣ ବଡ ଘୋଷଣା ହୋଇଛି ।

ଭୁବନେଶ୍ୱର,୧୭/୦୫: ରାଜ୍ୟରେ କରୋନା ମହାମାରୀର ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି କହିଛନ୍ତି ଯେ, ମେ’ ୨୪ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶାକର୍ମୀ । କରୋନା ଲକ୍ଷଣ ଓ ଜଟିଳ ରୋଗର ଆଶାକର୍ମୀମାନେ ସର୍ଭେ କରିବେ । କୋଭିଡ ନିୟନ୍ତ୍ରଣରେ ସାମିଲ ହେବେ ଗାଁ କଲ୍ୟାଣ ସମିତି । ଏହା ସହ ଲକଡାଉନ ଓ ଟିଏମସି ସମ୍ପର୍କରେ ସରପଞ୍ଚ ନିଷ୍ପତ୍ତି ନେବେ ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କୋଭିଡରେ ପ୍ରାଣ ହରାଉଥିବା ମୃତକଙ୍କ ପରିବାରକୁ ପେନସନ୍ ମିଳିବ । ମୃତକଙ୍କ ବିଧବା ଓ ବାପାମାଙ୍କୁ ହରାଇଥିବା ପିଲାଙ୍କୁ ପେନସନ୍ ମିଳିବ । ସମସ୍ତଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବ । ଅକ୍ସିଜେନ ଯୋଗାଣର ସୁପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ ହେବ ।’ ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ଵ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି ଏବଂ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦିଆଯାଇଛି । ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ  ମଧ୍ୟ ପଦକ୍ଷେପ ନିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଆଉଛି। ଘରୋଇ ଡାକ୍ତରଖାନା ମାନଙ୍କୁ ସାଥିରେ ନେଇ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହାଦ୍ଵାରା ରୋଗୀ ଶୀଘ୍ର ଚିକିତ୍ସା ସେବା ପାଉଛନ୍ତି ଓ ସାରା ଦେଶରେ ଓଡିଶାର ମୃତ୍ୟୁ ହାର ସେଥିପାଇଁ କମ୍‌ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଦେଶର ଅନ୍ୟ ଭାଗର ଘଟଣା ଉପରେ  ଓଡ଼ିଶା ତୀକ୍ଷଣ ନଜର ରଖିବା ସହ ସେମାନଙ୍କ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି ।  ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ICU-HDU ଶଯ୍ୟାରେ ବୃଦ୍ଧି କରାଯାଇଛି । ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା  ମଧ୍ୟ କରାଯାଇଛି । ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।