ସ୍କୁଲ ବନ୍ଦଥିବା ସତ୍ତ୍ୱେ ପିଲାଙ୍କ ପାଇଁ ଉପଲବ୍ଧ ହେବ ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ: କୋରନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକ ବନ୍ଦ କରି ଦିଆଯାଇଥିବା ସତ୍ତ୍ୱେ ପିଲାମାନେ ମଧ୍ୟାହ୍ନ ଭୋଜନ ଯୋଜନାରୁ ବଞ୍ଚିତ ହେବ ନାହିଁ। ପୂର୍ବଭଳି ସ୍କୁଲରେ ପଢୁଥିବା ବାଳକବାଳିକାମାନେ ଯେମିତି ମଧ୍ୟାହ୍ନ ଭୋଜନ ପାଉଥିଲେ ତାହା ଜାରି ରହିବ। ହେଲେ ଏତିକି ବ୍ୟବଧାନ ରହିଛି, ରନ୍ଧା ଖାଦ୍ୟ ବଦଳରେ ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। ପ୍ରତ୍ୟେକ ମାସ ପାଇଁ ପିଲାମାନଙ୍କର ଖାଦ୍ୟର ହାରାହାରି ଆବଶ୍ୟକତା ଅନୁସାରେ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ।

ଏତିକି ନୁହେଁ ଶୁଖିଲା ଖାଦ୍ୟକୁ ରାନ୍ଧିବା ପାଇଁ ଯେଉଁ ଖର୍ଚ୍ଚ ହେବ ତାହା ମଧ୍ୟ ପିଲାମାନଙ୍କୁ ଦିଆଯିବ। ଯଦି ସରକାରଙ୍କ ଦ୍ୱାରା କୁକିଂ କଷ୍ଟ ଦିଆଯାଇ ପାରୁନାହିଁ, ତାହାହେଲେ ବାଳକବାଳିକାମାନଙ୍କୁ ଡାଲି ତେଲ ଭଳି ପୋଷକ ତତ୍ତ୍ୱ ଉପଲବ୍ଧ କରାଇବାକୁ ପଡ଼ିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦିଆଯାଇଛି।