ଦେଶରେ ଚାଲିବ ଘରୋଇ ଟ୍ରେନ୍ ମଇ ମାସ ସୁଦ୍ଧା ସରିବ ରୁଟ୍ ନିଲାମ

ନୂଆଦିଲ୍ଲୀ : ଦୁଇ ବର୍ଷ ପରେ ଦେଶରେ ଘରୋଇ ଟ୍ରେନ୍ ଚଳାଚଳ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଶୁକ୍ରବାର ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ସର୍ଭେରେ କୁହାଯାଇଛି ଯେ ୨୦୨୩-୨୪ ବର୍ଷରୁ ଦେଶରେ ଘରୋଇ ଟ୍ରେନ ଚଳାଚଳ ଆରମ୍ଭ ହେବ ।

ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ଦେଶର ଆର୍ଥିକ ସ୍ଥିତିକୁ ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବାର ବିଧି ରହିଛି । ଏହି ନିୟମ ଅନୁସାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏଥିରେ କୁହାଯାଇଛି ଯେ ଦେଶରେ ଘରୋଇ ଟ୍ରେନ୍ ୨୦୨୩-୨୪ ମସିହାରୁ ଆରମ୍ଭ ହେବ ଏବଂ ଏଥିପାଇଁ ବିଡ଼ିଂ ପ୍ରକ୍ରିୟା ଚଳିତ ବର୍ଷ ମେ ମାସ ସୁଦ୍ଧା ଶେଷ କରାଯିବ ।

ସୂଚନାଯୋଗ୍ୟ ଯେ ଘରୋଇ ଟ୍ରେନ୍ ଆରମ୍ଭ କରିବା ପୂର୍ବରୁ ସରକାର ଆଇଆରସିଟିସି ମାଧ୍ୟମରେ ତେଜସ୍ ଟ୍ରେନ୍ ବ୍ୟବହାର କରିବା ଆରମ୍ଭ କରିଥିଲେ। ଯଦି ଏହାର ବ୍ୟବହାର ସଫଳ ହୁଏ, ତେବେ ବର୍ତ୍ତମାନ ଟ୍ରେନର କାର୍ଯ୍ୟ ଘରୋଇ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରାଯିବ । ଘରୋଇ ଟ୍ରେନ ପାଇଁ ବିଡିଂ ପ୍ରକ୍ରିୟା ଚଳିତ ବର୍ଷ ମେ ୨୦୨୧ ରେ ଶେଷ ହେବାର ସମ୍ଭାବନା ରହିଛି।

ରେଳ ଯାତ୍ରୀଙ୍କୁ ଘରୋଇ ଟ୍ରେନରେ ବିମାନ ସେବା ଭଳି ସୁବିଧା ଯୋଗାଇ ଦିଆଯିବ । ଟ୍ରେନର ଭଡା, କ୍ୟାଟରିଂ, ପରିଷ୍କାର ପରିଚ୍ଛନ୍ନତା ଏବଂ ଶଯ୍ୟା ଯୋଗାଣଘରୋଇ କମ୍ପାନୀଗୁଡିକ ନିଶ୍ଚିତ କରିବେ ।

ବ୍ୟସ୍ତବହୁଳ ମାର୍ଗ ଏବଂ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏବଂ ମୁମ୍ବାଇ ରୁଟ୍ ସର୍ବାଧିକ ଆବେଦନ ପାଇଛି । ୧୯ ଟି କମ୍ପାନୀର ଆବେଦନ ମଧ୍ୟରେ ସମସ୍ତେ ମୁମ୍ବାଇ ଏବଂ ଦିଲ୍ଲୀ ରୁଟ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚଣ୍ଡିଗଡ଼ ଏବଂ ଚେନ୍ନାଇ ମାର୍ଗ ପାଇଁ ୫ ଟି ଯୋଗ୍ୟ ଆବେଦନ ଅଛି । ଜୟପୁର ଏବଂ ସିକନ୍ଦରାବାଦ ରୁଟ ପାଇଁ ୯ଟି, ସେହିପରି ଦିଲ୍ଲୀ-ହାୱଡ଼ା, ଦିଲ୍ଲୀ-ବାଙ୍ଗାଲୋର ଓ ଦିଲ୍ଲୀ-ପାଟନା ରୁଟ ପାଇଁ ୮ଟି ଆବେଦନ ମିଳିଛି ।