ନୂଆଦିଲ୍ଲୀ,୨୬।୧୦: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ୍। ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି। ଦିଲୀପଙ୍କ ସହ ଅନ୍ୟ ୨ ଦୋଷୀଙ୍କୁ ମଧ୍ୟ ମିଳିଛି ଜାମିନ। ଏହି ଦୁର୍ନୀତି ମାମଲାରେ ସିବିଆଇର ସ୍ବତନ୍ତ୍ର କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ
ଉଲ୍ଲେଖନୀୟ ଯେ, ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ ଖଣି ଆବଣ୍ଟନରେ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀପଙ୍କୁ ଆଜି ୩ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ କୋର୍ଟ। ଏହି ମାମଲାରେ ଦିଲୀପ ଓ ତତ୍କାଳୀନ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ସ୍ୱତନ୍ତ୍ର କୋର୍ଟ। ଦିଲୀପଙ୍କୁ ୩ ବର୍ଷ ଜେଲ୍ ସହ ୧୦ ଲକ୍ଷ ଜୋରିମାନା କରିଥିଲେ କୋର୍ଟ। ଏଥିସହ ଅନ୍ୟ ୨ ଅଧିକାରୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଓ ୧୦ ଲକ୍ଷ ଲେଖାଏଁ ଜୋରିମାନା ହୋଇଥିଲା।
ସିବିଆଇ ଓକିଲ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ ଏବଂ ପ୍ରତିପକ୍ଷଙ୍କ ଆଇନଜୀବୀମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ ନିବେଦନ କରିଥିଲେ । ସିବିଆଇ ସ୍ବତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଉଭୟ ପକ୍ଷକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିବା ସହିତ ସମସ୍ତ ଦୋଷୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏମାନଙ୍କ ବ୍ୟତୀତ ଝାଡ଼ଖଣ୍ଡର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ ଖେଡାଙ୍କୁ ଦୋଷୀ ସାବ୍ୟସ୍ତ ସହ ୩ବର୍ଷ ଜେଲ ଏବଂ ୨୫ ଲକ୍ଷ ଟଙ୍କା ଜରିମନା କରାଯାଇଥିଲା । ସେହିପରି ପୂର୍ବତନ ଖଣି ସଚୀବ ଏଚ ସି ଗୁପ୍ତାଙ୍କୁ ମଧ୍ୟ ୩ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମନା କରାଯାଇଥିଲା ।