ନୂଆଦିଲ୍ଲୀ,୦୪।୧୦ : ଆସନ୍ତା ୨୦୨୧ ଜୁଲାଇ ସୁଦ୍ଧା ୪୦୦ରୁ ୫୦୦ ନିୟୁତ ଡୋଜ୍ କରୋନା ଟିକା ସଂଗ୍ରହ କରାଯିବ। ଏହି ଟିକା ପ୍ରାୟ ୨୫ କୋଟି ଲୋକଙ୍କୁ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ସେ କହିଛନ୍ତି ଏକ ଉଚ୍ଚସ୍ତରୀୟ କମିଟି କରୋନା ଟିକାଗୁଡ଼ିକୁ ସବୁ ଦିଗରୁ ପର୍ଯ୍ୟାଲୋଚନା କରୁଛି। ଟିକା ପ୍ରସ୍ତୁତ ହୋଇଯିବା ପରେ ତାହାର ନ୍ୟାୟସଙ୍ଗତ ଓ ନିରପେକ୍ଷ ବଣ୍ଟନ ନିମନ୍ତେ ସୁନିଶ୍ଚିତ ହେବାକୁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି।
ରବିବାର ସାମାଜିକ ଗଣମାଧ୍ୟମ ଅନୁଗାମୀମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହର୍ଷ ବର୍ଦ୍ଧନ କହିଲେ ଦେଶର ପ୍ରତ୍ୟେକ ଲୋକଙ୍କ ପାଇଁ ଟିକା ସୁନିଶ୍ଚିତ କରିବା ଆମର ପ୍ରାଥମିକତା। ଆଗ ଧାଡିର ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କରୋନା ଟିକାକରଣ କରାଇବା ସବୁଠୁ ବଡ଼ ପ୍ରାଥମିକତା। କିନ୍ତୁ ଟିକା ହେର୍ଫେର୍ କିମ୍ବା କଳାବଜାର ହେବନାହିଁ। ପୂର୍ବ ନିର୍ଦ୍ଧାରିତ ପ୍ରାଥମିକତା ଆଧାରରେ ଯୋଜନାବଦ୍ଧ ପ୍ରଣାଳୀରେ ଟିକା ବଣ୍ଟନ କରାଯିବ। ଆଗାମୀ ମାସମାନଙ୍କରେ ସମଗ୍ର ପ୍ରକ୍ରିୟାର ପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇବ। ଟିକାର ପାର୍ଶ୍ଵ ପ୍ରତିକ୍ରିୟା ସମ୍ପର୍କରେ ସେ କହିଲେ ଟିକା ଫୋଡ଼ା ଯିବା ସ୍ଥାନରେ ବିନ୍ଧା/ଦରଜ, ସାମାନ୍ୟ ଜ୍ଵର, ଲାଲ୍ ପଡ଼ିଯିବା, ହୃଦ୍ସ୍ପନ୍ଦନ ବୃଦ୍ଧି, ଅଚେତ ହୋଇଯିବା ଆଦି ପରିସ୍ଥିତି ଉପୁଜିପାରେ। କିନ୍ତୁ ଏହା କ୍ଷଣସ୍ଥାୟୀ। ତେବେ ଏପର୍ଯ୍ୟନ୍ତ ଟିକା ପ୍ରସ୍ତୁତ ନେଇ କାର୍ଯ୍ୟ ଚାଲିଛି । ୨୦୨୧ ସୁଦ୍ଧା ଟିକା ମିଳିଯିବ ବୋଲି ଆଶା କରାଯାଉଛି। ଯୋଜନା ମୁତାବକ ସବୁ ଠିକ୍ଠାକ୍ ହେଲେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଟିକା ବିତରଣ ହୋଇପାରିବ ମନ୍ତ୍ରୀ କହିଛନ୍ତି।